ଭାରତ-ଚୀନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସରକାରୀ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ଏଲଏସିର ଭାରତୀୟ କ୍ଷେତ୍ର ଚୁଶୁଲରେ ଏହି ବୈଠକ କରାଯିବ। ଏଥିରେ ପାନଗାଙ୍ଗ ହ୍ରଦ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଭାରତ ଗୁରୁତ୍ୱାରୋପ କରିବ। ଏଥିସହିତ ସମୟାନୁସାରେ ସୈନିକ ଓ ଅସ୍ତ୍ରଶସ୍ତ୍ର ହଟାଇବା ଉପରେ ମଧ୍ୟ ଆଲୋଚନା ହୋଇପାରେ। ଦେପସାଙ୍ଗ, ଦଉଲତ ବେଗ, ଅଲଡି ସେକ୍ଟର, ପାନଗଙ୍ଗ ଓ ହଟସ୍ପ୍ରିଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ବୈଠକ ବସିବ। ଏଲଏସିରେ ଥିବା ସୈନ୍ୟଙ୍କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଭାରତ ଚୀନ ଉପରେ ଚାପ ପକାଇପାରେ।

ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟୀ ଟେଲିଫୋନ ଯୋଗେ ୨ ଘଣ୍ଟା କଥା ହେବାପରେ ସୈନିକଙ୍କ ପଛକୁ ହଟିବାର ଔପଚାରିକ ପ୍ରକ୍ରିୟା ଗତ ସେମାବାରରୁ ଆରମ୍ଭ ହୋଇଥିଲା। ଅନ୍ୟପଟେ ଶୁକ୍ରବାର ଭାରତ ଓ ଚୀନ ମଧ୍ୟରେ ରାଜନୈତିକ ସ୍ତରରେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ଉଭୟ ଦେଶ ଶାନ୍ତି ଓ ମୈତ୍ରୀ ବଜାୟ ରଖିବା ପାଇଁ ପୂର୍ବ ଲଦାଖରେ ସମୟବଦ୍ଧ ଉପାୟରେ ସୈନିକଙ୍କୁ ପଛକୁ ହଟାଇବାର ପ୍ରକ୍ରିୟାକୁ ଆଗକୁ ବଢ଼ାଇବାର ପଦକ୍ଷେପ ନେଇଥିଲେ।