ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ଟପିଲା : ଦିନକରେ ସର୍ବାଧିକ ୨୮,୪୯୮ ନୂଆ ମାମଲା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତରେ ପ୍ରତିଦିନ ରେକର୍ଡସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୮ହଜାର ୪୯୮ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୫୫୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ଏଯାବତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬ ହଜାର ୭୫୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨୩ ହଜାର ୭୨୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ଲକ୍ଷ ୭୧ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଏଥିସହିତ ୩ଲକ୍ଷ ୧୧ ହଜାର ସକ୍ରିୟ ମାମଲା ରହିଛି।

କରୋନା ସଂକ୍ରମିତ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଆମେରିକା ଓ ବ୍ରାଜିଲ ପରେ ଭାରତରେ ପ୍ରତିଦିନ ସର୍ବାଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି। ଅନ୍ୟପଟେ ଭାରତରେ ଆମେରିକାଠାରୁ ଅଧିକ ମୃତ୍ୟୁ ଘଟୁଛି। ସେହିପରି ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧.୩୨ କୋଟିକୁ ବୃଦ୍ଧି ପାଇଛି ଓ ୫.୭୫ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୭୬.୯୬ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।