ଆଇଓସିଏଲ ଅଂଚଳରେ ଟ୍ରକ ଓ ଟ୍ୟାଙ୍କରରୁ ତୈଳ ଲୁଟ

ଝାରସୁଗୁଡ଼ା,କିର୍ମିରା,ଏନ୍ଏନ୍ଏସ୍: ଧୁତ୍ରା ନିକଟସ୍ଥ ବନ୍ଧରପଡ଼ାରେ ଥିବା ଆଇଓସିଏଲ(ପେଟ୍ରୋଲ ଡିପୁ) ଆଖପାଖ ଅଂଚଳରେ ରାତି ସମୟରେ ଦୁର୍ବୁତ୍ତଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ମିଳିଥିବା ରିପୋର୍ଟ ମୁତାବିକ, ଦୁର୍ବୁତ୍ତମାନେ ହଠାତ ଆସି ଟ୍ରକ ତଥା ଟେଙ୍କର ଡ୍ରାଇଭରଙ୍କୁୁ ବନ୍ଧୁକ ଓ ଛୁରୀ ଦେଖାଇ ତେଲ ଟାଙ୍କି ଫାଡ଼ି ପେଟ୍ରୋଲ-ଡିଜେଲ ଚୋରି କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରିବାରୁ ଦୁର୍ବୁତ୍ତମାନେ ଡ୍ରାଇଭରଙ୍କୁ ଜୀବନରୁ ମାରି ଦେବାର ଧମକ ଦେଉଛନ୍ତି। ଛତିଶଗଡ଼ କୋର୍ବା ଅଂଚଳରୁ ରାଜସ୍ଥାନ ଟ୍ରାନ୍ସପୋର୍ଟର ନଂ.ସିଜି ୧୨ଏ ୩୬୪୫ ଟ୍ରକ ଡ୍ରାଇଭର ଆଜି ଭୋର ୩ଟା ସମୟରେ ପେଟ୍ରୋଲ ଡିପୁ ପାଖରେ ଗାଡ଼ିଟି ଠିଆ କରିଥିବା ସମୟରେ କେତେ ଜଣ ଯୁବକ ଆସି ତାଙ୍କ ଗାଡ଼ିର ତେଲ ଟାଙ୍କି ଫାଡ଼ି ତେଲ ଚୋରି କରିଛନ୍ତି।

ସେହିପରି କିଛିଦିନ ପୂର୍ବରୁ କେତେକ ଟ୍ରକରୁ ତେଲ ଲୁଟ ହୋଇଥିବା ଡ୍ରାଇଭରମାନେ ଅଭିଯୋଗ କରିଥିଲେ। ଚୋରମାନଙ୍କର ଏହା ନିତିଦିନିଆ କାରବାର ହୋଇଥିବାବେଳେ ଏହାକୁ ରୋକିବା ପାଇଁ ପୁଲିସ ଏବଂ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ ବୋଲି ଡ୍ରାଇଭରମାନେ ଦାବି କରିଛନ୍ତି। ଏହାସହ ଝାରସୁଗୁଡ଼ା- ଧୁତ୍ରା ରାସ୍ତାରେ ପେଟ୍ରୋଲ ଡିପୁ ଅଂଚଳରେ ନିୟମିତ ପେଟ୍ରୋଲିଂ କରାଯାଉ ବୋଲି ଡ୍ରାଇଭରମାନେ ଦାବି କରିଛନ୍ତି।