ପାକିସ୍ତାନକୁ ବଡ ଝଟକା, ତେଲ ଓ ଋଣ ଦେବାକୁ ମନାକଲା ସାଉଦି ଆରବ

ଲଣ୍ଡନ,ଏଜେନ୍ସି: ସାଉଦି ଆରବ ପାକିସ୍ତାନକୁ ଏକ ବଡ ଝଟକା ଦେଇଛି। ତୈଳ କିମ୍ବା ଋଣ ନ ଦେବାକୁ ସାଉଦି ଆରବ ପାକିସ୍ତାନକୁ ରୋକଠୋକ ମନା କରିଦେଇଛି। ଫଳରେ ୨ ଦେଶ ମଧ୍ୟରେ ଦଶନ୍ଧି ଧରି ରହିଆସିଥିବା ସମ୍ପର୍କରେ ଅବସାନ ଘଟିଛି। କେବଳ ଏତିକି ନୁହେଁ, ଏବେ ଋଣରେ ବୁଡିଥିବା ପାକିସ୍ତାନ ସାଉଦି ଆରବକୁ ୧୦୦ କୋଟି ଡଲାର ଅର୍ଥରାଶି ଦେବ। ଏହା ହେଉଛି ୨୦୧୮ ନଭେମ୍ବରରେ ସାଉଦିଆରବ ଦ୍ୱାରା ଘୋଷଣା କରାଯାଇଥିବା ୬.୨ ବିଲିୟନ ଡଲାର ପ୍ୟାକେଜର ଏକ ଅଂଶ। ଏହି ପ୍ୟାକେଜରେ ପାକିସ୍ତାନ ପାଇଁ ୩୦୦ କୋଟି ଡଲାରର ଋଣ ଏବଂ ୩୨୦ କୋଟି ଡଲାରର ଅଏଲ କ୍ରେଡିଟ୍ ସୁବିଧା ରହିଥିଲା। ଗତବର୍ଷ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପାକିସ୍ତାନ ଗସ୍ତ କରିବା ସମୟରେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ।

ସୂଚନା ଅନୁସାରେ, ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିବାରୁ ସାଉଦି ଆରବ ନେତୃତ୍ୱାଧୀନ ଇସଲାମିକ୍ ସହଯୋଗୀ ସଂଗଠନ ଚେତାବନୀ ଦେଇଥିଲେ। ଏହା ପରେ ସାଉଦି ଆରବ ପାକିସ୍ତାନ ବିରୋଧରେ ଏପରି ପଦକ୍ଷେପ ନେଇଛି। କ୍ୟୁରେଶୀ କହିଥିଲେ, ଯଦି ଏଥିରେ ହସ୍ତକ୍ଷେପ କରାନଯାଏ ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱରେ ସେହି ଇସଲାମିକ୍ ଦେଶଗୁଡିକର ବୈଠକ ଡକାଇବାକୁ ମୁଁ ବାଧ୍ୟ ହେବି, ଯେଉଁମାନେ କାଶ୍ମୀର ପ୍ରସଙ୍ଗରେ ଆମକୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। କ୍ୟୁରେଶୀଙ୍କ ଏହି ଚେତାବନୀପୂର୍ଣ୍ଣ ମନ୍ତବ୍ୟ ପାକିସ୍ତାନକୁ ମହଙ୍ଗା ପଡିଛି।