ଜିଲ୍ଲା ମତ୍ସ୍ୟ ବିଭାଗର ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବତନ କିରାଣୀ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ମତ୍ସ୍ୟ ବିଭାଗର ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଖିଚିଂ ଗ୍ରାମର ପ୍ରଦୀପ୍ତ କୁମାର ପାତ୍ରକୁ ଗିରଫ କରାଯାଇଛି । ଏହି ଅର୍ଥ ଲୁଟ ପଛରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ ଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ଜିଲ୍ଲା ମତ୍ସ୍ୟ ବିଭାଗରେ ପୂର୍ବରୁ ବରିଷ୍ଠ କିରାଣୀ ଭାବେ ପ୍ରଦୀପ୍ତ କୁମାର ପାତ୍ର କାର୍ଯ୍ୟ କରୁଥିବାବେଳେ ଗତ ଜାନୁଆରୀ ୧୯ ତାରିଖରୁ କେନ୍ଦୁଝରକୁ ତାଙ୍କ ବଦଳି ହୋଇଥିଲା । ସେ ଏହି କାର୍ଯ୍ୟାଳୟରେ ଥିବା ସମୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟ ଚାଷୀଙ୍କ ପକ୍ଷରୁ ବିଭାଗକୁ ଜମା କରିଥିବା ଲିଜ, ରୟାଲଟି ଓ ବଜାର ନିର୍ମାଣ ସଂକ୍ରାନ୍ତୀୟ ୧୩ଲକ୍ଷ ୨୦ ହଜାର ୬୪୯ ଟଙ୍କା ହଡ଼ପ କରିଥିବା ନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ ଗତ ମେ’ ୨୩ ତାରିଖ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଆଇପିସି ଦଫା ୪୦୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ବଳରେ ଚେକ ମାଧ୍ୟମରେ ବିଭିନ୍ନ ସମୟରେ ଦେବଗଡ଼ ଷ୍ଟେଟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଥିଲା । ଯେଉଁ ସବୁ ଚେକ ମାଧ୍ୟମରେ ଟଙ୍କା ଉଠାଣ କରାଯାଇଥିଲା ସେସବୁକୁ ବ୍ୟାଙ୍କରୁ ପୁଲିସ ଜବତ କରିଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ଉକ୍ତ ଦସ୍ତଖତକୁ ନକଲ କରାଯାଇଥିବା କହୁଥିବାବେଳେ କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ପେସିମିନ ସିଗନେଚର ମ୍ୟାଚ ନକଲେ ଟଙ୍କା ଉଠାଣ ଅସମ୍ଭବ ବୋଲି କହିଛନ୍ତି । ସେହିପରି ଥରେ କି ୨ଥର ନୁହେଁ ବହୁବାର ଚେକ ମାଧ୍ୟମରେ ଟଙ୍କା ଉଠାଣ ହୋଇଥିବାରୁ ଉକ୍ତ ଅଧିକାରୀଙ୍କ ସ୍ପେସିମିନ ସିଗନେଚରକୁ ହ୍ୟାଣ୍ଡ ରାଇଟିଙ୍ଗ ଏକ୍ସପର୍ଟଙ୍କ ନିକଟକୁ ପଠାଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଗିରଫ ଅଭିଯୁକ୍ତ କିରାଣୀ ବ୍ୟାଙ୍କରୁ ଟଙ୍କା ଉଠାଇଥିବା ସ୍ୱୀକାର କରିଥିଲେ ମଧ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ କିସାନଙ୍କ ନିର୍ଦ୍ଦେଶରେ ସେ ଟଙ୍କା ଉଠାଇଥିବା କିରାଣୀ କହିଛନ୍ତି । ତେବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ କିସାନ ନିଜ ସମ୍ପୃକ୍ତିରୁ ମୁକୁଳିବା ପାଇଁ କିରାଣୀଙ୍କ ନାମରେ ଅଭିଯୋଗ କରିଥିବା ଅଭିଯୁକ୍ତ କହୁଥିବାବେଳେ ବିଭାଗୀୟ କାଗଜ ପତ୍ର ହସ୍ତାନ୍ତର ବିନା କେଉଁ ଉଦ୍ଦେଶ୍ୟରେ କିରାଣୀଙ୍କୁ ରିଲିଭ କରାଗଲା ? ବଦଳି ହେବାର ୫ ମାସ ପରେ ଥାନରେ ଅଭିଯୋଗ କରାଯିବାର ଉଦ୍ଦେଶ୍ୟ ସନ୍ଦେହ ଘେରରେ ଥିବାରୁ ଅଭିଯୋଗକାରୀ ମଧ୍ୟ ଅଭିଯୁକ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ଗିରଫ ଅଭିଯୁକ୍ତ କିରାଣୀକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ଼ ଥାନା ପୁଲିସ ସୂଚନା ଦେଇଛି ।