ସାଇକେଲରେ ଅଫିସ୍‌ ଆସିଲେ ସରକାରୀ ବାବୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସହରରେ ପରିବେଶକୁ ପ୍ରଦୂଷଣକୁ ମୁକ୍ତ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ନିମନ୍ତେ ଅଣମୋଟର ଯାନ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତି ଶୁକ୍ରବାର ନିଶ୍ଚିତ ଭାବେ ସାଇକେଲରେ ଅଫିସ ଆସିବାକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ନିଜର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ବିଏମସି କର୍ମଚାରୀମାନେ ସାଇକେଲରେ ଅଫିସ୍‌ ଆସିଛନ୍ତି।

ବିଡିଏ କମିଶନର, ଅତିରିକ୍ତ କମିଶନର, ଡେପୁଟୀ କମିଶନର ପ୍ରମୁଖ ସାଇକେଲ ଧରି ଅଫିସ୍‌ ଆସିଛନ୍ତି। ଭୁବନେଶ୍ୱର ମହାନଗର ନିଗମ, ଭୁନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ନିଜ ନିଜର କର୍ମଚାରୀଙ୍କୁ ସାଇକେଲ ଚଢ଼ି ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ପ୍ରଥମଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ବିଏମସିରେ ୪୦୦, ବିଡିଏରେ ୮୦୦ ଓ ବିଏସସିଏଲରେ ୧୦୦ କର୍ମଚାରୀ ଏହି ନିର୍ଦ୍ଦେଶ ପାଳନ କରିବେ। ନିୟମ ଲାଗୁ ହେଲେ ସହରରେ ଶୁକ୍ରବାର ଦିନ ପ୍ରାୟ ହଜାରେ ଗାଡ଼ି ଚଳାଚଳ ବନ୍ଦ ରହିବ।