ଜାତୀୟ ୟୁଥ୍ ଭଲିବଲ୍‌ରେ ଓଡ଼ିଶାର ଡବଲ୍ ବିଜୟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମହାରାଷ୍ଟ୍ରର ସାଙ୍ଗଲିଠାରେ ଚାଲିଥିବା ୨୪ତମ ଜାତୀୟ ୟୁଥ୍ ଭଲିବଲ୍ ଚାମ୍ପିଅନ୍‌ଶିପ୍‌ରେ ଶୁକ୍ରବାର ଓଡ଼ିଶାକୁ ଡବଲ୍ ବିଜୟ ମିଳିଛି। ଓଡ଼ିଶାର ପୁରୁଷ ଦଳ ଗୁଜରାଟ ଓ ପୁଡୁଚେରୀକୁ ଏବଂ ମହିଳା ଦଳ ତେଲେଙ୍ଗାନାକୁ ପରାସ୍ତ କରିଛନ୍ତି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ର ଚତୁର୍ଥ ଦିନରେ ଓଡ଼ିଶା ପୁରୁଷ ଦଳ ଗୁଜରାଟକୁ ୩-୨ ଓ ପୁଡୁଚେରୀକୁ ୩-୧ରେ ପରାସ୍ତ କରିଥିବା ବେଳେ ମହିଳା ଦଳ ତେଲେଙ୍ଗାନା ବିପକ୍ଷରେ ୩-୨ରେ ବିଜୟୀ ହୋଇଛି।

ଅନ୍ୟପକ୍ଷରେ ଏଫ୍‌ଆଇଭିବି ଲେବଲ୍‌-୧ ଭଲିବଲ୍ କୋଚ୍ କୋର୍ସ ଚେନ୍ନାଇସ୍ଥିତ ଏଫ୍‌ଆଇଭିବି ରିଜିଓନାଲ୍ ଡେଭଲପ୍‌ମେଣ୍ଟ୍ ସେଣ୍ଟର୍‌ଠାରେ ଶୁକ୍ରବାର ସଫଳତା ପୂର୍ବକ ଶେଷ ହୋଇଛି। ଗତ ୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି କୋର୍ସରେ ଓଡ଼ିଶାର ଦୁଇ ଜଣ ଭଲିବଲ୍ କୋଚ୍ ସଙ୍ଗୀତା ଟପ୍ପୋ ଓ ସୁଧାଂଶୁ ଭୂଷଣ ମିଶ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟଙ୍କୁ କିଟ୍‌-କିସ୍ ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍ ମହାସଂଘ (ଭିଏଫ୍‌ଆଇ) ସଭାପତି ପ୍ରଫେସର ଅଚ୍ୟୁତ ସାମନ୍ତ ବଧେଇ ଜଣାଇଛନ୍ତି।