ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡ଼ିଶା ମୋଟର ଚାଳକ ସଂଘ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡ଼ିଶା ମୋଟର ଚାଳକ ସଂଘ ଝାରସୁଗୁଡ଼ା ଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏଥିପାଇଁ ସଂଘ ପକ୍ଷରୁ ଝାରସୁଗୁଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ମୋଟର ଚାଳକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଳକଙ୍କ ବିଶ୍ରାମ ପାଇଁ ପ୍ରତେକ ରାସ୍ତାର ୧୦୦କିମି ବ୍ୟବଧାନରେ ଡ୍ରାଇଭର ବିଶ୍ରାମ ଗୃହ ଓ ପାର୍କିଙ୍ଗ ବ୍ୟବସ୍ଥା, ସଡ଼କ ଦୁର୍ଘଟଣାରେ ଚାଳକ ପ୍ରାଣ ହରାଇଲେ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ ଓ ୫ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି। ଏଥିସହିତ ସର୍ବନିମ୍ନ ଦରମା ଘୋଷଣା, ପରିବହନ ଅଫିସରେ ଚାଳକଙ୍କ ପାଇଁ ଟିକସ କମ କରିବା ପାଇଁ ନିର୍ଦ୍ଦେଶ, ସେମାନଙ୍କ ପିଲାଛୁଆଙ୍କ ୪୦ ପ୍ରତିଶତ ଶିକ୍ଷା ସହାୟତା, ଝିଅ ବିବାହରେ ୫୦ହଜାର ସହାୟତା ଓ ପୁଅ ବିବାହ ପାଇଁ ୪୦ ହଜାର ସହାୟତା ଆଦି ପ୍ରସ୍ତାବ ରାଜ୍ୟ ସରକାର ଗୃହୀତ କରିଥିବାରୁ ଓଡ଼ିଶା ମୋଟର ଚାଳକ ସଂଘ ଝାରସୁଗୁଡ଼ା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ସାହାଣୀ, ଲକ୍ଷଣ ସିଂ, ଜିତେନ ବଢ଼େଇ, ପ୍ରଦୀପ ସାହୁ, ହୃଷିକେଶ ପ୍ରଧାନ, କମଳ ଲୋଚନ, ସାରଙ୍ଗଧର ମିଶ୍ର ଓ ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖଙ୍କ ସହ ମୋଟର ଚାଳକ ସଂଘର ସଭାପତିମାନେ ଉପସ୍ଥିତ ଥିଲେ।