ଓଡ଼ିଶା ହ୍ୟୁମେନ ରାଇଟ୍ସ କମିଶନ ଅଧ୍ୟକ୍ଷଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡିଶା ହ୍ୟୁମେନ ରାଇଟ୍ସ କମିଶନର ଅଧ୍ୟକ୍ଷ ଜଷ୍ଟିସ ବିଜୟ ଶଙ୍କର ପଟେଲ ଆଜି ଝାରସୁଗୁଡ଼ା ଗସ୍ତ କରିଛନ୍ତି। ଶ୍ରୀ ପଟେଲ ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସି ଜିଲ୍ଲାର ସ୍ଥାନୀୟ ଲୋକ, ସମାଜସେବୀ, ବୁଦ୍ଧିଜୀବୀ ଓ ଓକିଲ ସଂଘର ସଦସ୍ୟ ତଥା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଲୋକେ ଜିଲ୍ଲାରେ ହେଉଥିବା ଶିଳ୍ପ ଜନିତ ପ୍ରଦୂଷଣ, ସ୍ଥାନୀୟ ନିଯୁକ୍ତି ସମସ୍ୟା, ଖଣି ତଥା ଶିଳ୍ପ ପାଇଁ ଘରଦ୍ୱାର ହରାଉଥିବା ଲୋକଙ୍କୁ ଥଇଥାନ, ରାସ୍ତାକଡ଼ରେ ବେଆଇନ ପାର୍କିଂ ସମସ୍ୟା, ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସମ୍ପତ୍ତିର ଚୋରା କାରବାର, ସ୍ୱାସ୍ଥ୍ୟ ସମସ୍ୟା ଆଦି ବିଷୟରେ ହ୍ୟୁମେନ ରାଇଟ୍ସ କମିଶନ ଅଧ୍ୟକ୍ଷଙ୍କୁ କହିଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ପ୍ରଦୂଷଣ ରୋକିବା ଦିଗରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ଫଳରେ ପ୍ରଦୂଷଣ ବୃଦ୍ଧି ଯୋଗୁ ଝାରସୁଗୁଡ଼ାବାସୀ କର୍କଟ, ଲିଭର, କିଡନୀ ଓ ଯକ୍ଷ୍ମା ପରି ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ଝାରସୁଗୁଡ଼ାରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହ ଉନ୍ନତମାନର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଲୋକେ କହିଥିଲେ।

ସେହିପରି ଜିଲ୍ଲାରେ ବେକାରୀ ସମସ୍ୟା ଦୂର କରିବା, ସମସ୍ତ ଶିଳ୍ପ ଓ ଖଣିରେ ୭୦ ପ୍ରତିଶତ ସ୍ଥାନୀୟ ଯାନବାହାନ ଚଳାଚଳ କରିବା, ମହିଳା ତଥା ନାବାଳିକାଙ୍କ ପ୍ରତି ହେଉଥିବା ହିଂସା, ଦୁଷ୍କର୍ମ ଆଦି ଘଟଣାର ତଦନ୍ତ ପ୍ରକ୍ରିୟା ତ୍ୱରିତ କରିବା, ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମ, ବିଧବା ଆଶ୍ରମ ଓ ଶିଶୁ ସଦନ ଆଦିରେ ସ୍ଥାନ ବୃଦ୍ଧି କରିବା, ବିଭିନ୍ନ ସମୟରେ ବେଆଇନ ଭାବରେ ଉତ୍ତୋଳନ ହେଉଥିବା ବାଲି, ମାଟି, ମୋରୁମ, କୋଇଲା ଆଦିରେ ରୋକ ଲଗାଇବା ଦିଗରେ ପଦକ୍ଷେପ ନେବା ପାଇଁ ହ୍ୟୁମେନ ରାଇଟ୍ସ କମିଶନଙ୍କ ପାଖରେ ଲୋକେ ଅନୁରୋଧ କରିଥିଲେ। ସେହିପରି ଜିଲ୍ଲାବାସୀଙ୍କ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ମଧ୍ୟ ଶ୍ରୀ ପଟେଲ ଜିଲ୍ଲାସ୍ତ୍ରରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଜିଲ୍ଲାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ, ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟା ସମଧାନ ପାଇଁ ଖଣିଜ ପାଣ୍ଠିର ବିନିଯୋଗ, ବେଆଇନ ପାର୍କିଂ ରୋକିବା ପାଇଁ କଡ଼ାକଡ଼ି ଫାଇନ ଓ ଟ୍ରକ ଟର୍ମିନାଲ ନିର୍ମାଣ ଆଦି ବିଷୟରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଅବଗତ କରାଇଥିଲେ। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସ, ଚାଇଲ୍ଡ ୱେଲଫେୟାର କମିଟିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ, ଜିଲ୍ଲା ଓକିଲ ସଂଘର ସଭାପତି ତ୍ରୀନାଥ ଗୁଏଲ, ସନ୍ଦୀପ ଅବସ୍ତ ଓ ପରେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।