ମିଲେଟ ମିଶନ ପ୍ରସାର ଦିଗରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟ ସ୍ତରରେ ସମ୍ମାନିତ

କୋରାପୁଟ,ଏନ୍ଏନ୍ଏସ୍: ହାଇଦ୍ରାବାଦ ଠାରେ ଶୁକ୍ରବାର ଦିନ ଆଇସିଏଆର ଓ ନ୍ୟୁଟ୍ରି ହବ୍ ଦ୍ବାରା ଆୟୋଜିତ ଜାତୀୟ ନ୍ୟୁଟ୍ରି-ସିରିଲ କନଭେନସନ ୪.୦ରେ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଓଡ଼ିଶା ମିଲେଟ ମିଶନ ଜରିଆରେ ମିଲେଟର ବ୍ୟାପକ ବ୍ୟବହାର କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶାକୁ ଏହି ସମ୍ମାନ ମିଳିଛି । ଓଡ଼ିଶା ମିଲେଟ୍ ମିଶନର ପ୍ରତିନିଧି ଦଳର ସଦସ୍ୟ ତଥା ମିଲେଟ ବିଶେଷଜ୍ଞ ତାପସ ରାଏ ଏ ସମ୍ପର୍କରେ ଜଣାଇଛନ୍ତି ।

ଓଡ଼ିଶାରେ ମିଲେଟକୁ ପ୍ରୋତ୍ସାହିତ କରାଯାଉଥିବା ଯୋଗୁଁ କାର୍ଯ୍ୟକ୍ରମରେ ‘ଓଡିଶା ମିଲେଟ ମିଶନ’କୁ ପ୍ରଶଂସା କରାଯାଇଥିଲା । ଓଡ଼ିଶା ଏହି ସମ୍ମିଳନୀରେ ଦ୍ବିତୀୟ ଥର ପାଇଁ ପୁରସ୍କାର ଗ୍ରହଣ କରିଛି । ଏହାପୂର୍ବରୁ ରାଜ୍ୟକୁ “ଶ୍ରେଷ୍ଠ ମିଲେଟ ପ୍ରମୋଟିଂ ଷ୍ଟେଟ୍” ଏବଂ ଏଥର “ମିଲେଟ୍ ମିଶନ୍ ସ୍କେଲିଂ ପାଇଁ ଶ୍ରେଷ୍ଠ ରାଜ୍ୟ” ଭାବେ ପୁରସ୍କୃତ କରାଯାଇଥିଲା ବୋଲି ବିଶେଷଜ୍ଞ ଜଣାଇଛନ୍ତି ।

ରାଜ୍ୟର କୃଷକ ଯେଉଁମାନେ ମିଲେଟକୁ ପରବର୍ତ୍ତୀ ସ୍ତରକୁ ନେଉଛନ୍ତି ଏବଂ ସେମାନଙ୍କର ପୂର୍ଣ୍ଣ ଉଦ୍ୟମ କରି ଆରମ୍ଭରୁ ଏହି ମିଶନ ସହିତ ଜଡିତ ଅଛନ୍ତି ଏହି ପୁରସ୍କାର ସେମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ସେ ମତପ୍ରକାଶ କରିଛନ୍ତି । କୋରାପୁଟ ଅଞ୍ଚଳରେ ମାଣ୍ଡିଆ , ସୁଆଁ ଭଳି ବିଭିନ୍ନ ମିଲେଟ୍ ଶସ୍ୟ ଉପରେ ପ୍ରାଧାନ୍ୟତା ବୃଦ୍ଧି ପାଇଥିବା ଓଡ଼ିଶା ମିଲେଟ୍ ମିଶନର ପ୍ରତିନିଧି ଦଳର ସଦସ୍ୟ କହିଛନ୍ତି ।