ଜାପାନରେ ଓଡ଼ିଶା ମହୋତ୍ସବ, ସହଭାଗିତା ବଳରେ ଓଡ଼ିଶା-ଜାପାନ ସମ୍ପର୍କ ଦୃଢ଼ ହେବ

ଭୁବନେଶ୍ବର: ଜାପାନର ରିଉକୋକୁ ବିଶ୍ଵବିଦ୍ୟାଳୟର କିଓଟୋ ହଲ୍‌ରେ ଓଡ଼ିଶା କଲଚରାଲ ଏକ୍ସଚେଞ୍ଜ୍‌ ସୋସାଇଟି ଜାପାନ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଓଡ଼ିଶା ମହୋତ୍ସବ । ମହୋତ୍ସବରେ ଜଳବାୟୁ ପରିବର୍ତ୍ତନ ଆଧାରିତ ନୀଳମାଧବଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’ ପ୍ରଦର୍ଶିତ ହୋଇଛି । ଏଥିସହ ଓଡ଼ିଶାର ପର୍ଯ୍ୟଟନ ବିଭବ ନେଇ ଏକ ଫଟୋ ପ୍ରଦର୍ଶନୀ ବି ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ସେ କହିଛନ୍ତି ଯେ, ଓଡ଼ିଆ ଓ ଜାପାନୀଙ୍କ ଜୀବନଧାରାରେ ବ୍ୟାପକ ସାମଞ୍ଜସ୍ୟ ରହିଛି । ଖାଦ୍ୟ, ସଂସ୍କୃତି ସହିତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କର୍ମ ପ୍ରବଣତା ସମାନ । ଓଡ଼ିଶା ଓ ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବିଶେଷ ଉଲ୍ଲେଖଯୋଗ୍ୟ । ଓଡ଼ିଶାର ଧଉଳିରେ ୧୯୭୩ ମସିହାରେ ଭାରତ-ନିପନ ବୌଦ୍ଧ ସଂଘ ପକ୍ଷରୁ ଶାନ୍ତିସ୍ତୁପ ସ୍ଥାପିତ ହୋଇଛି । ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନିକଟରେ ପାଳିତ ହୋଇଛି । ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନର ବିଶେଷ ଗୁରୁତ୍ଵ ରହିଛି । ଓଡ଼ିଶା ଜାପାନ ସମ୍ପର୍କ ଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଜାପାନୀ ଭାଷା ଶିକ୍ଷଣ ଓ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଏବଂ ଅଧ୍ୟୟନ ପାଇଁ ପ୍ରୟାସ ବିଶେଷ ଭାବରେ ଫଳପ୍ରଦ ସାବ୍ୟସ୍ତ ହେବ ।”

ସହଭାଗିତା ବଳରେ ଓଡ଼ିଶା-ଜାପାନ ସମ୍ପର୍କ ଦୃଢ଼ତର ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଓଡ଼ିଶା-ଜାପାନ ସାଂସ୍କୃତିକ ପୃଷ୍ଠଭୂମି ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର, କିଓଟୋ ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରଫେସର କାଜିନୋଟୁ ମିତସୁବା, ଜାପାନ ସ୍ଥିତ ଭାରତର କନସୁଲେଟ୍‌ ଜେନେରାଲ ଓସାକା କୋବେ, ଖ୍ୟାତି ସଂପନ୍ନ ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ବିଧାୟକ ଦେବୀପ୍ରସାଦ ମିଶ୍ର ବକ୍ତବ୍ୟ ରଖିଛନ୍ତି । ଜାପାନର ସଂସ୍କୃତି ପ୍ରେମୀମାନଙ୍କ ଏପରି ଉଦ୍ୟମ ସାଂସ୍କୃତିକ ଭାବ ବିନିମୟ ଏବଂ ଅଧ୍ୟୟନକୁ ସୁଦୃଢ଼ କରିବ ବୋଲି ଆଶାବ୍ୟକ୍ତ ପୂର୍ବକ ଓଡ଼ିଶା ମହୋତ୍ସବ ଆୟୋଜନର ଭୂୟସୀ ପ୍ରଶଂସା କରିଛନ୍ତି ।

ଏହି ଅବସରରେ ଜାପାନୀ ନୃତ୍ୟଶିଳ୍ପୀ ୟୁମିକୋ ହାନାନୋମିଆ ଓ ସାଚିକୋ ମୁରାକାମୀଙ୍କ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷଣ ମହୋତ୍ସବର ଅନ୍ୟତମ ଆକର୍ଷଣ । କଳାହାଣ୍ଡିର ମହାବୀର ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀବୃନ୍ଦ ଘୁମୁରା ଓ ବଜାଶାଲ ଲୋକନୃତ୍ୟ ପରିବେଷଣ କରିଛନ୍ତି । ଓଡ଼ିଶା କଲଚରାଲ ଏକ୍ସଚେଞ୍ଜ୍‌ ସୋସାଇଟି ପକ୍ଷରୁ ପରବର୍ତ୍ତୀ ସମୟରେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୋସାଇଟିର କର୍ମକର୍ତ୍ତା ଉଲ୍ଲେଖ କରିଛନ୍ତି ।