ସରିଲା ରାଜ୍ୟପାଳଙ୍କ କାର୍ଯ୍ୟକାଳ, ବଢ଼ିପାରେ ଗଣେଶୀ ଲାଲଙ୍କ ଦାୟିତ୍ୱ

ଭୁବନେଶ୍ବର: ସୋମବାର ଶେଷ ହୋଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି । ଗଣେଶୀ ଲାଲଙ୍କ ସ୍ଥାନ କିଏ ନେବେ ଏ ପର୍ଯ୍ୟନ୍ତ ସେନେଇ ଘୋଷଣା ହୋଇନାହିଁ । ରାଷ୍ଟ୍ରପତି ଭବନ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇ ନଥିବାବେଳେ ବିଧିବଦ୍ଧ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗଣେଶୀ ଲାଲ ଏହି ଭୂମିକାରେ ରହିବେ ବୋଲି ଆଶା କରାଯାଉଛି । ସେ ପୁଣି ତାଙ୍କ ପଦବୀରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

୨୦୧୮ ମେ’ ୨୫ରେ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ସେହି ମାସ ୨୯ ତାରିଖରେ ଶପଥ ଗ୍ରହଣ କରିବା ସହ ଦାୟିତ୍ବ ନେଇଥିଲେ । ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ । ସତ୍ୟପାଲ ମଲ୍ଲିକ ସେ ସମୟରେ ବିହାର ସହିତ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିଲେ । ଗଣେଶୀ ଲାଲ୍ ୨୫ତମ ରାଜ୍ୟପାଳ ଭାବେ ଓଡ଼ିଶାର ଦାୟିତ୍ବ ଭାର ସମ୍ଭାଳିଥିଲେ । ଓଡ଼ିଶାବାସୀଙ୍କ ସଫଳତାରେ ଯୋଡ଼ି ହେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁ କାର୍ଯ୍ୟକ୍ରମରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି । ନିଜର ବ୍ୟବହାର ଏବଂ ଆଚରଣ ପାଇଁ ସେ ରାଜ୍ୟରେ ସବୁ ବର୍ଗର ଲୋକଙ୍କ ନିକଟରେ ବେଶ ପରିଚିତ । ଏଥିପାଇଁ ସେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସଫଳତାର ଶ୍ରେୟ ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦକୁ ଦେଇଛନ୍ତି ।