ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର, ଆଇଟିଆଇ ଓ ଡିପ୍ଲୋମା ପିଲାଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ବିଭିନ୍ନ ବିଷୟରେ ଦକ୍ଷତା ବିକାଶର ତାଲିମ ନେଇ ଓଡ଼ିଶାର ଯୁବପିଢି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟରକୁ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମଧ୍ୟରେ ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ରରେ ‘ଫିନିସିଂ ସ୍କୁଲ’ ବା ‘ଇଣ୍ଡଷ୍ଟ୍ରି ରେଡିନେସ’ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରାଯାଉଛି ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍‌ ଦୁଇଟି ବିଭାଗରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଉଛି । ଯୁବପିଢ଼ିର ଦକ୍ଷତା ବିକାଶ ସହିତ ସେମାନଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇଁ ବର୍ଷକୁ ଦୁଇଟି ବ୍ୟାଚରେ ତାଲିମ ଦିଆଯିବା ଲାଗି ଲକ୍ଷ୍ୟ ରହିଛି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ କରାଯାଇଛି । ଏଥିରେ ‘ଫିନିସିଂ ସ୍କୁଲ’ ଢାଞ୍ଚାରେ ଆବଶ୍ୟକ ତାଲିମ ଓ ଜୀବନ କୌଶଳ ଶିକ୍ଷା ପ୍ରଦାନ କରାଯିବ । ସିଙ୍ଗାପୁର ସ୍ଥିତ ଆଇଟିଇଇଏସ ସଂସ୍ଥାର ବୈଷୟିକ ସହଯୋଗକ୍ରମେ କାର୍ଯ୍ୟକ୍ରମ ପରିଚାଳନା ହେବ । ରାଜ୍ୟର ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନର ପାଠ୍ୟକ୍ରମ ଏବଂ ତାଲିମ ବ୍ୟବସ୍ଥାରେ ଗୁଣାତ୍ମକ ବିକାଶ ଆଣିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଆଉ ଏକ ଲକ୍ଷ୍ୟ ।