ଉନ୍ନତିର ପଥରୁ ଭଟକିଲା ଓଡ଼ିଶା; ନିତି ଆୟୋଗ ଦ୍ୱାରା ଜାରି ଏସ୍‌ଡିଜି ରିପୋର୍ଟରେ ୨୧ତମ ସ୍ଥାନରେ ରହିଲା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ସରକାରଙ୍କ ଥିଙ୍କଟ୍ୟାଙ୍କ୍ ନିତି ଆୟୋଗ ତା’ର ଏସଡିଜି (ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍‌) ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ ରିପୋର୍ଟ ପ୍ରକାଶ କରିଛି। ଗତଥର ୧୬ ନମ୍ବରରେ ଥିଲା ଓଡ଼ିଶା। ଏଥର ୧୬ରୁ ୨୧ ନମ୍ବରକୁ ଖସିଛି। ଓଡ଼ିଶାର ପ୍ରଗତି ସୂଚକ ୨୧ତମ ସ୍ଥାନକୁ ଖସିଛି। ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଆଜି ଏହି ରିପୋର୍ଟକୁ ଜାରି କରିଛନ୍ତି। ନିତି ଆୟୋଗର ସିଇଓ ଅମିତାଭ କାନ୍ତ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ। ନିତି ଆୟୋଗ ପ୍ରସ୍ତୁତ କରିଥିବା ରାଙ୍କିଙ୍ଗରେ କେରଳ ୧ନଂ ସ୍ଥାନରେ ଥିବା ବେଳେ ବିହାର ସବୁଠାରୁ ପଛରେ ରହିଛି। ଓଡ଼ିଶାର ସ୍ଥାନ ୧୬ରୁ ୨୧କୁ ଖସି ଯାଇଛି।

ରାଜ୍ୟମାନଙ୍କର ସାମାଜିକ, ଅର୍ଥନୀତିକ ଓ ପରିବେଶ ଜନିତ ବିକାଶକୁ ଦୃଷ୍ଟିରେ ରଖି ଏହି ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ବା ନିରନ୍ତର ବିକାଶ ଲକ୍ଷ୍ୟ ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥାଏ। ସବୁ କ୍ଷେତ୍ରରେ କେରଳ ଭଲ ପ୍ରଦର୍ଶନ କରିଥିବାରୁ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ନିତି ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୬ଟି ଗୋଲ୍ ମଧ୍ୟରୁ ଗୋଲ୍ ନମ୍ବର ୧୩ରେ ଅର୍ଥାତ୍ ପରିବେଶ ସୁରକ୍ଷା ମାମଲାରେ ଓଡ଼ିଶା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସହିତ ସ୍ଥାନ ପାଇଥିବା ବେଳେ ୧୪ତମ ଗୋଲ୍ ଅର୍ଥାତ୍ ଜଳ ସମ୍ପଦର ସୁରକ୍ଷା କ୍ଷେତ୍ରରେ ଏକମାତ୍ର ରାଜ୍ୟ ଭାବେ ସ୍ଥାନ ପାଇଛି।