ଓଡ଼ିଶା ବନ୍ଦ କୋରାପୁଟରେ ସଫଳ

କୋରାପୁଟ,ଏନ୍ଏନ୍ଏସ୍: ତୈଳ ଓ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ବିରୋଧ କରି ରାଜ୍ୟ କଂଗ୍ରେସ ଡାକରା ଦେଇଥିବା ୬ ଘଣ୍ଟିଆ ଓଡ଼ିିଶା ବନ୍ଦ କୋରାପୁଟ ଜିଲ୍ଲାରେ ସମ୍ପୂର୍ଣ ସଫଳ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଜିଲ୍ଲାରେ ବନ୍ଦ ପାଳନ କରିଥିଲେ। ସମଗ୍ର ଜିଲ୍ଲାରେ ଦୋକାନ ବଜାର, ଗାଡ଼ି ଚଳାଚଳ, ସରକାରୀ ଅଫିସ୍ ଓ ବ୍ୟାଙ୍କଗୁଡ଼ିକ ଅପରାହ୍ନ ଗୋଟାଏ ଯାଏ ବନ୍ଦ ରହିଥିଲା। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଶ୍ରମିକ ଓ କୃଷକ ବିରୋଧୀ ନୀତିକୁ ମଧ୍ୟ ବିରୋଧ କରି କଂଗ୍ରେସ କର୍ମୀ ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ସଦର ମହକୁମାରେ କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ପିକେଟିଂ କରାଯାଇ ବନ୍ଦକୁ ସଫଳ କରାଯାଇଥିବାବେଳେ କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ, ପୂର୍ବତନ ବିଧାୟକ ନିମାଇ ସରକାର, ପୂର୍ବତନ ଡିସିସି କାର୍ଯ୍ୟକାରୀ ସଭାପତିି ରୂପକ ତୁରୁକ୍, କୋରାପୁଟ ବ୍ଲକ୍ ଅଧ୍ୟକ୍ଷା ନମିତା ମାଝୀ ଓ ସାଂସଦ ପ୍ରତିନିଧି ବାବୁଲା ବେନ୍ୟା ତେନ୍ତୁଳି ଗଛ ଟ୍ରାଫିକ୍ ଛକ ନିକଟରେ ରାଜପଥ ଅବରୋଧ କରିିଥିଲେ।

ସେହିପରି କୋଟପାଡ଼ରେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ସେମିଲିଗୁଡ଼ାରେ ପଟ୍ଟାଙ୍ଗିର ପୂର୍ବର୍ତନ ବିଧାୟକ ରାମଚନ୍ଦ୍ର କାଡାମ୍ ଓ ଲକ୍ଷ୍ମୀପୁରରେ ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଛି। ବନ୍ଦ ପ୍ରଭାବରେ ସେମିଲିଗୁଡ଼ା-କୋରାପୁଟ, ଲକ୍ଷ୍ମୀପୁର-କୋରାପୁଟ ଏବଂ ଛତିଶଗଡ଼ର ଜଗଦଲପୁର-ବୋରିଗୁମ୍ମା ରାସ୍ତା ପୁରା ଜନଶୂନ୍ୟ ହୋଇ ପଡ଼ିଥିଲା।