ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ୧୯ରେ ଓଡିଶା ବନ୍ଦ ଡାକରା

ବଲାଙ୍ଗିର,ଏନ୍ଏନ୍ଏସ୍ : ରାଜ୍ୟରେ ହଜାର ହଜାର ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ବନ୍ଦ କରିଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରତିବାଦରେ ଅକ୍ଟୋବର ୧୯ ତାରିଖ ଓଡିଶା ବନ୍ଦ କରାଯିବ ବୋଲି ଭିଲେଜର୍ସ ଇଣ୍ଡିଆ ପାର୍ଟି (ଭିଆଇପି) ତରଫରୁ ଡାକରା ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଭିଆଇପିର ରାଜ୍ୟ ସଭାପତି ଡ.ବିପିନ କୁଶୁଲିଆ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ସର୍ବଶିକ୍ଷା ଅଭିଯାନ ତଥା ମୁକ୍ତ ଓ ବାଧ୍ୟତାମୂଳକ ସମ୍ବିଧାନିକ ମୌଳିକ ଶିକ୍ଷା ଅଧିକାର ବିରୋଧରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନାମରେ ବଲାଙ୍ଗିର ଜିଲ୍ଲାର ୨୭୬ ବିଦ୍ୟାଳୟ ସମେତ ବୌଦ୍ଧ , ନବରଙ୍ଗପୁର, ଗଜପତି ଓ ଢେଙ୍କାନାଳ ଭଳି ଜିଲ୍ଲାର ହଜାର ହଜାର ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଭାରତ ସରାକରଙ୍କ ନୀତି ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ମିଶ୍ରଣ କାର୍ଯ୍ୟକ୍ରମରେ ଓଡିଶାର ଗ୍ରାମୀଣ ଓ ସ୍ଥାନୀୟ ବିଦ୍ୟାଳୟ ବନ୍ଦ ହୋଇଯାଉଛି ।

ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଅନ୍ୟ ଗାଁକୁ ପାଠ ପଢିବାକୁ ଯାଇ ପାରିବେ ନାହିଁ । ବିଶେଷତଃ ଗାଁ ଗହଳିରେ ରହୁଥିବା ଚାଷୀ ଓ ଗରୀବ ଶ୍ରେଣୀରେ ଲୋକମାନେ ନିଜ ପିଲାଛୁଆଙ୍କୁ ଅନ୍ୟ ଗାଁରୁ ନେବା ଆଣିବା କରିପାରିବେ ନାହିଁ । ଓଡିଶା ସରକାରଙ୍କ ୫୦୦ ଟଙ୍କାର ସହାୟତା ରାଶି ମୂଲ୍ୟହୀନ । ପିଲାମାନଙ୍କୁ ୨ ରୁ ୫ କିମି ଯିବାକୁ ପଡିବ । ତେବେ ଅନେକ ଦୁର୍ଗମ ଅଞ୍ଚଳରେ ରାସ୍ତା ବିପଦସଙ୍କୁଳ ରହିଛି । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧ୍ୱସ୍ତ କରି ଘରୋଇ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ବୋଲି ଭିଆଇପି ଅଭିଯୋଗ କରିଛି । ଏହି ପ୍ରସଙ୍ଗରେ ପାର୍ଟି ତରଫରୁ ଗତ ଗାନ୍ଧୀ ଜୟନ୍ତୀରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରିରହିଛି । ସରକାର ତାଙ୍କ ନିଷ୍ପତ୍ତିର ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ଧାରଣା ଓ ଆନ୍ଦୋଳନ ଜାରି ରହିବ ବୋଲି ଡ.କୁଶୁଳିଆ କହିଛନ୍ତି ।