ଓଡ଼ିଶା-ଛତିଶଗଡ଼ ସୀମା ଲକ କଲା ଜିଲ୍ଲା ପ୍ରଶାସନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍ : ଲକଡାଉନ ନିୟମ ଉଲଂଘନ କରି ହଜାର ହଜାର ଶ୍ରମିକ ଏକତ୍ରିତ ଭାବେ ଘର ମୁହାଁ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିଜ ସୀମା ସିଲ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ସେଥିପାଇଁ ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ ରୋକିବା ପାଇଁ ଓଡ଼ିଶା-ଛତିଶଗଡ଼ ସୀମାକୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଏନଏଚ-୪୯ରେ କନକତୋରା ଗାଁ ନିକଟରେ ଥିବା ସୀମା ଓ କଣ୍ଡେଇକେଲା ନିକଟସ୍ଥ ଲରା ଛକ ଓ ଏକତାଲ ଛକରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଲକଡାଉନ ସମୟରେ ରାଜ୍ୟକୁ ଯେପରି କେହି ପ୍ରବେଶ ନକରନ୍ତୁ ସେଥିପ୍ରତି ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଏହି ରାସ୍ତାଦେଇ ଚାରିଚକିଆ, ଦୁଇ ଚକିଆ, ଯାତ୍ରୀବାହୀ ବାହନ ତଥା ଲୋକଙ୍କ ପ୍ରବେଶ ଉପରେ ରୋକ ଲଗା ଯାଇଥିବାବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଯାତାୟତ କରୁଥିବା ଯାନବାହନ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ବାହନର ଡ୍ରାଇଭର ଓ ହେଲପରଙ୍କର ଥର୍ମାଲ ସ୍କେନିଙ୍ଗ ପରେ ସେମାନଙ୍କୁ ଓଡ଼ିଶା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି।