ନିଜାମୁଦ୍ଦିନ ମରକଜରେ ସାମିଲ ହୋଇଥିଲେ ଓଡ଼ିଆ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ନୂଆଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଅଂଚଳରେ ଥିବା ତବଲିଗୀ ଜମାତର ମରକଜରେ ଅନୁଷ୍ଠିତ ଧାର୍ମିକ ଉତ୍ସବରେ ଏକାଠି ହୋଇଥିବା ପ୍ରାୟ ୨ ହଜାର ମୁସଲମାନଙ୍କୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରୁ ୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବା ପରେ ସାରା ଦେଶରେ ଚିନ୍ତା ବଢ଼ିଯାଇଛି। ଏପରି କି ଏହି ଧର୍ମୀୟ ଉତ୍ସବରେ ଓଡ଼ିଶାରୁ କେତେଜଣ ଯୋଗଦେଇଥିବା ସୂଚନା ମିଳିଛି। ଏବେ ସେମାନେ କେଉଁଠି ଏବଂ କିପରି ଅବସ୍ଥାରେ ଅଛନ୍ତି ତାହାକୁ ନେଇ ଚିନ୍ତା ବଢ଼ିଯାଇଛିି। ସେମାନଙ୍କୁ ଠାବ କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି ।

ଗତ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ଏଠାରେ ଧର୍ମୀୟ କାର୍ଯ୍ୟକ୍ରମ ଚାଲିଥିବାବେଳେ ବିଭିନ୍ନ ଦେଶର ନାଗରିକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ କାର୍ଯ୍ୟକ୍ରମ ପରେ ଅନେକ ଲୋକ ନିଜ ନିଜ ରାଜ୍ୟ ଏବଂ ଦେଶକୁ ଫେରିଛନ୍ତି। ଏଥିରେ ଯୋଗଦେଇଥିବା ଜଣେ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ପ୍ରାଣ ହରାଇବା ପରେ ଏହି ସମାଗମ ଭିତରେ କରୋନା ଭୂତାଣୁ ବ୍ୟାପିଥିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ମରକଜରେ ଥିବା ଲୋକଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩୩୪ ଜଣଙ୍କଠାରେ ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଛି। ଏହା ସହିତ ମରକଜରୁ ୧ ହଜାରରୁ ଅଧିକ ଲୋକଙ୍କୁ ବାହାରକୁ ଅଣାଯାଇଛି। ସେଥିରୁ ୭୦୦ ଲୋକଙ୍କୁ ଦିଲ୍ଲୀ ସରକାର କ୍ୱାରେଂଟାଇନରେ ରଖିଛନ୍ତି ବୋଲି ସୂଚନା ମିଳିଛି।