କରୋନା କଟକଣା, ଓଡ଼ିଶା ବୋହୂକୁ ଛତିଶଗଡ଼ ବାପଘର ମନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଉପାନ୍ତ ଅଞ୍ଚଳ ଓ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ। ଉପାନ୍ତ ଅଞ୍ଚଳରୁ ଛତିଶଡ଼ରେ ଏବଂ ଛତିଶଗଡ଼ରୁ ଅନେକ ଝିଅ ଝାରସୁଗୁଡ଼ା ଉପାନ୍ତ ଅଞ୍ଚଳରେ ବିବାହ କରିଛନ୍ତି। ତେବେ ଏହି ଦୁଇ ପଡୋଶୀ ମଧ୍ୟରେ ଏବେ କରୋନା ଦାଉ ସାଜିଛି। ଓଡ଼ିଶାରେ ବିବାହ କରିଥିବା ଛତିଶଗଡ଼ର ଝିଅମାନଙ୍କୁ ଏବେ ବାପ ଘର ମନା ହୋଇଯାଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ରାଜ୍ୟର ରାଇଗଡ଼ ଜିଲ୍ଲା ବରମକେଲା ବ୍ଲକର ଲିପ୍ତି ଗ୍ରାମରେ। ଏହି ଗ୍ରାମର ଝିଅ ଝାରସୁଗୁଡ଼ା ଜିଲ୍ଲା ଚଖିଲିରେ ଗ୍ରାମରେ ବିବାହ କରିଥିଲେ। ତେବେ ସେ ଗତ ୧୩ ତାରିଖରେ ନିଜ ବାପା ଘର ଲିପ୍ତିକୁ ଯାଇଥିଲେ। ସେଠାରେ ତାଙ୍କୁ କାଶ, ଜ୍ୱର ହେବାରୁ ସେ ନିଜର ସ୍ୱାବ ପରୀକ୍ଷା କରାଇଥିଲେ। ଗତ ୨୮ ତାରିଖ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଲିପ୍ତି ଗ୍ରାମର ମୁଖିଆ ଓ ଗ୍ରାମବାସୀମାନେ ମହିଳାଙ୍କ ବିରୋଧରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ଓଡ଼ିଶାରୁ ଛତିଶଗଡ଼ ଆସିଥିବା ନେଇ ସରିଆ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଏନେଇ ସରିଆ ପୁଲିସ ମହିଳାଙ୍କ ବିରୋଧରେ ଧାରା ୧୮୮ରେ ଏକ ମାମଲା ରୁଜୁ କରିଛି। ତେବେ ବାପାଙ୍କ ଘରକୁ ଯାଇଥିବା ମହିଳାଙ୍କ ବିରୋଧରେ ମାମଲା ରୁଜୁ ଘଟଣାକୁ ଝାରସୁଗୁଡ଼ା ଉପାନ୍ତ ଅଞ୍ଚଳବାସୀ ନିନ୍ଦା କରଛନ୍ତି। ଏହାସହ କୋରନା କଟକଣା ପାଇଁ ଓଡିଶା ବୋହୂକୁ ଛତିଶଗଡ ବାପ ଘର ମନା ହୋଇଯାଇଛି ବୋଲି ଲୋକେ କହିଛନ୍ତି।