ଗୌହାଡ଼ିରେ ଓଡ଼ିଆ ଯବାନ ସହିଦ, ଅଞ୍ଚଳରେ ଶୋକାକୁଳ ପରିବେଶ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ କରମତଲା ପଞ୍ଚାୟତ ଗୁରମୁନି ଗ୍ରାମର ଥବିର ବୁଡେକ ଯବାନ ଜଣଙ୍କ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଉପରେ ଗାଡି ଚଢି ଯାଇଥିଲା। ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆସାମ ରାଜ୍ୟରେ ଗତ ୨୦୧୦ ମସିହାରେ ବିଏସଏଫ ଭାବରେ ଯୋଗଦେଇ ନିଜ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଶତୃଙ୍କ ସହ ଲଢେ଼ଇ କରୁଥିଲେ।

ଗତକାଲି ରାତିରେ ଆସାମ ରାଜ୍ୟର ନିୟୁ କୁଞ୍ଜ ବିହାର ରାସ୍ତାର ନଦୀ ଭିତରେ ବିଏସଏଫଙ୍କ ଗାଡି ଖସିଯାଇଥିଲା। ଗାଡିଟି ଖସିବା ପରେ ଜୀବନ ବଞ୍ଚାଇବା ପାଇଁ ସେ ଗାଡି ଭିତରୁ ଡେଇଁ ପଡିଥିଲେ। ଫଳରେ ଗାଡ଼ିଟି ତାଙ୍କର ଦେହ ଉପରେ ଚଢ଼ି ଯାଇଥିଲା। ଯବାନ ଜଣଙ୍କ ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଓଡିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ, ବିଜେଡି ଯୁବ ନେତା ଆଲୋକ ବୁଡେକ, ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ବୁଡେକ, ବ୍ଲକ୍ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବନ୍ଦନ ପୁରୋହିତ, ରାଜ କିଶୋର ଡାଙ୍ଗଙ୍କ ସମେତ ଅଞ୍ଚଳବାସୀ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।