ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ହେଲପରର ମୃତ୍ୟୁ

ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଜଲିଆ ଗାଁ’ରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଡି-୨୬ଏ- ୮୪୮୮ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକ ହେଲପରର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ସୋନପୁର ଜିଲ୍ଲା ବୁଢିପଦର ଗ୍ରାମର ସୁଧୀର ସେଠୀ(୨୬)। ଘଟଣାପରେ ଡ୍ରାଇଭର ପ୍ରକାଶ ତ୍ରିପାଠୀ ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ ସୂଚନା ଅନୁସାରେ ଖରିଆର ରୋଡରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଜଲିଆ ଗ୍ରାମର ଜନୈକ ଏଜେଣ୍ଟ ପାଖକୁ ସିମେଣ୍ଟ ନେଇ ଆସିଥିଲା। ରାସ୍ତା ସଂକୀର୍ଣ୍ଣ ଥିବାରୁ ଗାଡି ପଛୁଆ ଆସୁଥିଲା।

ଏହି ସମୟରେ ହେଲପର ଡ୍ରାଇଭର ବାଟ ଦେଖାଉଥିଲା। ହଠାତ ହେଲପର ରାସ୍ତାର ଅପରପାର୍ଶ୍ବକୁ ଚାଲିଯାଇଥଲେ। ଟ୍ରକ ଡ୍ରାଇଭର ବ୍ୟାକ କରୁଥିବା ସମୟରେ ହେଲପର ସୁଧୀର ଏକ କାନ୍ଥରେ ଚାପି ହୋଇଯାଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ବେଲପଡା ଡାକ୍ତରଖାନାକୁ ଆଣୁଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବେଲପଡ଼ା ପୁଲିସ ଅଧିକାରୀ ବୁଲୁ ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପୁଲିସ ଶବ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ବୋଲି ଥାନା ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ବେଲପଡା ଥାନାରେ ଏକ ମକଦ୍ଦମା ରୁଜୁ ହୋଇଛି।