ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ଏଜେନ୍ସି: ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ହତ୍ୟା   ଷଡ଼ଯନ୍ତ୍ର ହୋଇଥିବା ସେ ଆଜି କହିଛନ୍ତି। ଶ୍ରୀ ମିଶ୍ର ଏନେଇ ନିଜେ ଫେସବୁକରେ ପୋଷ୍ଟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ତାଙ୍କୁ ହତ୍ୟା କରିବା ପାଇଁ ୨୦୧୭ ମସିହାରେ ଖାଦ୍ୟରେ ବିଷ ଦିଆଯାଇଥିଲା। ତାଙ୍କୁ କିଏ ଏବଂ କାହିଁକି ବିଷ ଦେଇଛନ୍ତି ସେ ବିଷୟରେ ତାଙ୍କୁ ଜଣାନାହିଁ । ଏଥିରେ ବାହ୍ୟ ଶତ୍ରୁର ହାତ ଥାଇପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବେଙ୍ଗାଲୁରୁରେ ଏକ ପ୍ରମୋଶନ ସାକ୍ଷାତକାରରେ ସେ କହିଛନ୍ତି ସକାଳ ଜଳଖିଆରେ ବିଷ ଦିଆଯାଇଥିଲା। ଏହି ବିଷ ଅଜୈବିକ ଥିଲା। ଏହାର ମାତ୍ର ୧ ଗ୍ରାମ ବିଷ ଯେକୌଣସି ବ୍ୟକ୍ତିଙ୍କୁ ମାରିବା ପାଇଁ ଯଥେଷ୍ଟ। ଏହି ଘଟଣାପରେ ୨ ବର୍ଷ ଧରି ମୁଁ ଚିକିତ୍ସିତ ହୋଇଥିଲି। ସେଥିଲାଗି ଘଟଣା ବିଷୟରେ କାହାକୁ କହି ନ ଥିଲି। ସେ ଆହୁରି କହିଛନ୍ତି, ମୁଁ ଜାନୁୟାରୀରେ ଅବସର ନେବି। ତେଣୁ ଏ ବିଷୟରେ ଲୋକମାନେ ଜାଣନ୍ତୁ । ଯଦି ବି ମୁଁ ମରିଯାଏ, ତେବେ ମୋ ସହିତ କ’ଣ ହୋଇଥିଲା ତାହା ଅନ୍ୟମାନେ ଜାଣିପାରିବେ।