ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ତରଫରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ତରଫରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ମୁଖ୍ୟ ତଥା ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଅଧ୍ୟକ୍ଷତା କରି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଉତ୍ପତ୍ତି, ବିକାଶକ୍ରମ ସହିତ ଶାସ୍ତ୍ରୀୟ ମାନ୍ୟତା ପାଇବା ପଛରେ କ’ଣ ସବୁ ଉଦ୍ଦେଶ୍ୟ ରହିଥିଲା ସେସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡା ଅନ୍ୟତମ ବକ୍ତା ରୂପେ ଯୋଗଦେଇ ନିଜ ଜନ୍ମଦାତ୍ରୀ ମା’, ମାତୃଭୂମି ଓ ମାତୃଭାଷାକୁ ଜଣେ ଖାଣ୍ଟି ଓଡ଼ିଆ ଭାବରେ କିଭଳି ଭଲ ପାଇବା ଆବଶ୍ୟକ ସେସମ୍ପର୍କରେ ଆଲୋକପାତ କରାଇଥିଲେ । ଓଡ଼ିଆ ବିଭାଗର ଛାତ୍ରୀମାନେ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ନୃପେନ୍ଦ୍ର ନାଥ ଖୋସଲା, ଅଧ୍ୟାପିକା ତାଇରା ବେଗମ, ଡା. ଏମ ରୋହିଣୀ ରାଣୀ ଓ ତରନୁମ୍ ଆରା ଯୋଗ ଦେଇଥିଲେ । ଓଡ଼ିଆ ବିଭାଗର ଅନ୍ୟତମ ଅଧ୍ୟାପକ ଲକ୍ଷ୍ମୀକାନ୍ତ ସୌରା କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ ।

ସେହିପରି ଉତ୍କଳ ସମ୍ମିଳନୀ ଓ ନବରଙ୍ଗପୁର ଶାଖା ତରଫରୁ ବିଶ୍ୱ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ସ୍ଥାନୀୟ ସାଇ କେୟାର ଏଜୁକେସନ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଏଥିରେ ଉତ୍କଳ ସମ୍ମିଳନୀ, ନବରଙ୍ଗପୁର ଶାଖାର ବରିଷ୍ଠ ସଦସ୍ୟ, ବ୍ୟଙ୍ଗ କବି ବିଜୟ କୁମାର ଚୌଧୁରୀ, ଡା. ବିଜୟ କୁମାର ମିଶ୍ର, ସହଦେବ ପରିଡ଼ା, ସୁରେଶ ଚନ୍ଦ୍ର ମିଶ୍ର ଓ ପି.ରବିକାନ୍ତ ରଘୁରାମ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉତ୍କଳ ସମ୍ମିଳନୀର ଜିଲ୍ଲା ସମ୍ପାଦକ ଦୁର୍ଗା ପ୍ରସାଦ ପାଢ଼ୀ ପରିଚାଳନା କରିଥିଲେ।