ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ସହିଦ

ପୁରୀ,ଏନ୍ଏନ୍ଏସ୍‌: ଜମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି । ସେ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ବାଳ । ପୁଅକୁ ହରାଇ ସ୍ତବ୍ଧ ପରିବାର । ଏ ଅଘଟଣକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି । ଓଡିଆ ପୁଅ ଦେବାଶିଷଙ୍କ ଶହୀଦ ଖବର ସେନା ମୁଖ୍ୟାଳୟରୁ ଆସିବା ପରେ ଖଣ୍ଡାୟତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ପୁଅ ଦେବାଶିଷ ବିଶ୍ବାଳ । ଆତଙ୍କବାଦୀ ଆକ୍ରମଣରେ ସେ ଶହୀଦ ହୋଇଥିବା ସେନା ମୁଖ୍ୟାଳୟରୁ ପରିବାରକୁ ଖବର ଦିଆଯାଇଥିଲା । ଦୁଇ ବର୍ଷ ତଳେ ଅର୍ଥାତ ୨୦୨୧ ଅକ୍ଷୟ ତୃତୀୟା ଦିନ ବିବାହ କରିଥିଲେ ଦେବାଶିଷ । ନିମାପଡା ବ୍ଲକ ବନ୍ତୁ ଗ୍ରାମର ସୁଶ୍ରୀ ସଙ୍ଗୀତାଙ୍କୁ ବିବାହ କରିଥିଲେ । ତାଙ୍କର ୭ ମାସରେ ଶିଶୁକନ୍ୟା ଦେବସ୍ମିତା ବିଶ୍ବାଳ ରହିଛନ୍ତି । ଦୁଇ ଦିନ ତଳେ ବିବାହ ବାର୍ଷିକୀ ପାଳିଥାନ୍ତେ ଦେବାଶିଷ ହେଲେ ସବୁ କିଛି ଅଧାରେ ରହିଯାଇଛି ।

ଗତ ଜାନୁଆରୀରେ ଗାଁକୁ ଆସିଥିଲେ ଦେବାଶିଷ ହେଲେ କିଏ ଜାଣିଥିଲା ଯେ ସେ ଶେଷଥର ପାଇଁ ଘରକୁ ଆସିଥିଲେ । ପୁଅକୁ ହରାଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ବାପା ପ୍ରତାପ ବିଶ୍ବାଳ ଓ ମାଆ ମମତା ବିଶ୍ବାଳ ଯେମିତି ମୁକ ପାଲିଟି ଯାଇଛନ୍ତି । ସ୍ବାମୀଙ୍କୁ ହରାଇ ପତ୍ନୀ ସୁଶ୍ରୀ ଘଡିକି ଘଡି ଅଚେତ ହୋଇଯାଉଛନ୍ତି । ପୁରୀ ଗାଁରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରୀୟ ରାଇଫଲ ୟୁନିଟର ଯବାନ ଭାବେ କାର୍ଯ୍ୟରତ ଥିଲେ ଦେବାଶିଷ ବିଶ୍ବାଳ ।