ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ

ଜଗତସିଂହପୁର,ଏନ୍‌ଏନ୍ଏସ୍: ପରଲୋକରେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥ ଥିବା କୁହାଯାଉଛି । ଗତ ମାର୍ଚ୍ଚ ୩୦ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳ ୭ ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଓଡ଼ିଆ ରାଜନୀତିରେ ଜଣେ ଅଭିଜ୍ଞ ରାଜନେତା ଥିଲେ ତ୍ରିଲୋଚନ । ବିଜୁ ଜନତା ଦଳ ଓ କଂଗ୍ରେସ କର୍ମକର୍ତ୍ତା ଭାବରେ ସେ କାର୍ଯ୍ୟ କରିଥିଲେ । ତାଙ୍କ ଜୀବନ କାଳରେ ସେ ତିନିଥର ବିଧାୟକ ହୋଇଥିବା ବେଳେ ଥରେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।

୧୯୭୧ ଓ ୧୯୮୫ ମସିହାର ବିଧାନସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରେ ସେ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୯ ମସିହାରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତ୍ରିଲୋଚନ କାନୁନଗୋ ରାଜ୍ୟ ଅର୍ଥ କମିସନର ଅଧ୍ୟକ୍ଷ ଭାବେ କରିଥିଲେ ।

ତ୍ରିଲୋଚନ କାନୁନଗୋ ୧୯୪୦ ମସିହା ସେପ୍ଟେମ୍ବର ମାସ ୧୨ ତାରିଖରେ କଟକ ଜିଲ୍ଲାର ବଡମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରେମାନନ୍ଦ କାନୁନଗୋ ଏବଂ ପତ୍ନୀଙ୍କ ନାମ ଅଗସ୍ତୀ କାନୁନଗୋ । ସେ ବିଜ୍ଞାନରେ ସ୍ନାତକୋତ୍ତର କରିଥିବା ବେଳେ ଓକିଲାତି ପାଠ ପଢ଼ିଥିଲେ । ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ଭାବେ ଜାତୀୟସ୍ତରରେ ବେଶ୍ ପରିଚିତ ଥିଲେ କାନୁନଗୋ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ଶୁଣିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତ୍ରିଲୋଚନ କାନୁନଗୋଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଗତ ମାର୍ଚ୍ଚ ୧୯ ତାରିଖରେ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ଘଟିଥିଲା । ଯକୃତ ଜନିତ ସମସ୍ୟାରେ ପୀଡିତ ଥିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ବୀରେନ୍ଦ୍ର ପାଣ୍ଡେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।