ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରାରେ ଓଡ଼ିଆ ପୁଅ

ବଲାଙ୍ଗିର,ଏନ୍ଏନ୍ଏସ୍: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ ‘ଗଗନଯାନ’ ପାଇଁ ଓଡ଼ିଆ ପୁଅଙ୍କ ନାମ ମନୋନୀତ ହୋଇଥିବା ଜଣାପଡ଼ିଛି। ଏହି ବହୁପ୍ରତିକ୍ଷୀତ ମିଶନ ପାଇଁ ମନୋନୀତ ୪ ପାଇଲଟଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ନିଖିଲ ରଥଙ୍କ ନାମ ରହିଛି। ଏନେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟୁଇଟ୍‌ କରି ନିଖିଲଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

୨୦୨୨ ମସିହାରେ ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ ଅନୁଷ୍ଠିତ ହେବ। ‘ଗଗନଯାନ’ରେ ଅନ୍ତରୀକ୍ଷକୁ ମାନବ ପଠାଇବ ଭାରତ। ଏ ବାବଦରେ ଓ୍ବିଙ୍ଗସ୍‌ କମାଣ୍ଡର ନିଖିଲ ଗୋଟେ ବର୍ଷ ଋଷିଆରେ ରହି ତାଲିମ ଗ୍ରହଣ କରିବେ ବୋଲି ରାଜ୍ୟପାଳ ଟୁଇଟ୍‌ କରି ଜଣାଇଛନ୍ତି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନିଖିଲ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବୋଲି ଟ୍ୱିଟ କରି କହିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସାରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି। ଭାରତୀୟ ବାୟୁସେନାରେ ଓ୍ବିଙ୍ଗସ୍‌ କମାଣ୍ଡର ଭାବେ କାର୍ଯ୍ୟରତ ନିଖିଲ ରଥ ହେଉଛନ୍ତି ବଲାଙ୍ଗିର ସହରର ଅଶୋକ ରଥ ଏବଂ ମହିଳା କମିସନ ସଦସ୍ୟା କୁସୁମ ରଥଙ୍କ ସୁପୁତ୍ର।