ରାମନାଗୁଡ଼ାରେ ବସଷ୍ଟାଣ୍ଡ ନିର୍ମାଣ ନେଇ ଜାଗା ଚିହ୍ନଟ କଲା ଓଏଏସଆରଟିସି ଟିମ୍‌

ରାମନାଗୁଡା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଓଏଏସଆରଟିସିର ଏକ ପ୍ରତନିଧି ମଣ୍ଡଳୀ ରାମନାଗୁଡ଼ା ଗସ୍ତ କରି ଜାଗା ଚିହ୍ନଟ କରିଛି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ ନେଇ ଆବଶ୍ୟକ ପରିମାଣର ଜମି ପ୍ରଦାନ କଲେ ସରକାରୀ ବସଷ୍ଟାଣ୍ଡ ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି ଓଏଏସଆରଟିସିର ଓଏସଡି ଦୀପ୍ତି ମହାପାତ୍ର କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାମନାଗୁଡ଼ା ବସଷ୍ଟାଣ୍ଡ ନିର୍ମାଣ ନେଇ ଆବଶ୍ୟକତା ରହିଛି । ଏହି ସ୍ଥାନ ଦେଇ ୨ଶହରୁ ଊର୍‌ଦ୍ଧ୍ୱ ସରକାରୀ ସହ ବେସରକାରୀ ବସ ଚଳାଚଳ କରୁଥିବାବେଳେ ଏକ ଉନ୍ନତମାନର ବସଷ୍ଟାଣ୍ଡ କରାଯିବାକୁ ଆବଶ୍ୟକ ପରିମାଣର ଜମି ଯୋଗାଇ ଦେବାକୁ ଦାବୀ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ଅତିରିକ୍ତ ଇଷ୍ଟେଟ ଅଫିସର ସନ୍ତୋଷ କୁମାର ଶତପଥୀ ଓ ଇଞ୍ଜିନିୟର ସାଇଖାନ ମାଝୀ ଉପସ୍ଥିତ ଥିଲେ । ଏହି ସମୟରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ସମିତି ସଭ୍ୟ କମଳଲୋଚନ ମୁଟ୍ଟିକା, ରାଜସ୍ୱ ନିରୀକ୍ଷକ ମମତା ରାଣୀ ଖଞ୍ଜା ଓ ଅମିନ ରାମଲତା ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ ।