ରାଜନୀତିରୁ ଅବସର ନେଇ ସୋନିଆଙ୍କ ସଙ୍କେତ

ନୂଆଦିଲ୍ଲୀ: କଂଗ୍ରେସ ନେତା ସୋନିଆ ଗାନ୍ଧୀ ରାୟପୁରରେ ଆୟୋଜିତ ହୋଇଥିବା ପାର୍ଟିର ପୂର୍ଣ୍ଣ ଅଧିବେସନରେ ରାଜନୀତିରୁ ଅବସର ନେବା ନେଇ ସଙ୍କେତ ଦେଇଛନ୍ତି । ସୋନିଆ କହିଛନ୍ତି ଯେ, ୨୦୦୪ ଓ ୨୦୦୯ରେ ଆମ ବିଜୟ ସହ ଡା. ମନମୋହନ ସିଂହଙ୍କ ନେତୃତ୍ୱ ମୋତେ ବ୍ୟକ୍ତିଗତ ରୂପେ ସନ୍ତୁଷ୍ଟି ପ୍ରଦାନ କରିଛି । ଭାରତ ଯୋଡ଼ୋ ଯାତ୍ରା ସହ ମୋ ରାଜୈତିକ ପାଳି ସମାପ୍ତ ହୋଇପାରିବାକୁ ନେଇ ମୁଁ ଆଶ୍ୱସ୍ତ ଅଛି । ଏହି ଯାତ୍ରା କଂଗ୍ରେସ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ରୂପେ ସାମ୍ନାକୁ ଆସିଛି । ଭାରତବାସୀ ସଦଭାବ, ସହିଷ୍ଣୁତା ଓ ସମାନତା ଚାହୁଁଛନ୍ତି ବୋଲି ଏହା ପ୍ରମାଣିତ କରିଦେଇଛି ।

ଅନ୍ୟପଟେ ବିଜେପିକୁ ଟାର୍ଗେଟ କରି ସୋନିଆ ଗାନ୍ଧୀ କହିଛନ୍ତି ଯେ, ଏହା କଂଗ୍ରେସ ଓ ସମଗ୍ର ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଦେଶର ସମସ୍ତ ସଂସ୍ଥାକୁ ବିଜେପି ଓ ଆରଏସଏସ କବଜା କରିନେଇଛି । କିଛି ବ୍ୟବସାୟୀଙ୍କୁ ଲାଭ ପ୍ରଦାନ କରିବା ପାଇଁ ଆର୍ଥିକ ସ୍ଥିତି ଖରାପ କରିଦେଇଛନ୍ତି । ବିଜେପି ଘୃଣାର ନିଆଁକୁ ପ୍ରସାରିତ କରୁଛି । ଅଳ୍ପସଂଖ୍ୟକ, ମହିଳା ଓ ଆଦିବାସୀଙ୍କୁ ଟାର୍ଗେଟ କରୁଛି । ଆମକୁ ବିଜେପି ଶାସନକୁ ଦୃଢ଼ତାର ସହ ସାମ୍ନା କରିବାର ଆବଶ୍ୟକତା ରହିଛି ।