ବାଇକ ଦୁର୍ଘଟଣାରେ ଓଏପିଏଫ ଯବାନ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଗତକାଲି ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାଜପଥରେ ବାଇକ ଦୁର୍ଘଟଣାରେ ଜଣେ ଓଏପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ମିଳିଥିବା ରିପୋର୍ଟ ମୁତାବିକ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନାରେ କାର୍ଯ୍ୟରତ ଦେବଗଡ଼ ଥାନା ଅନ୍ତର୍ଗତ ସାନ ଶିରୋଡ଼ିହୀ ଗ୍ରାମର ଭଜମନ ଜାରିକାଙ୍କ ପୁଅ ଘାଶିରାମ ଜାରିକା(୩୦) ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଜରପଡ଼ାରୁ ଜଣେ ସାଥୀଙ୍କର ବୁଲେଟ ମୋଟର ସାଇକଲ ଯୋଗେ ରାଞ୍ଚି-ବିଜୟୱାଡା ରାଜପଥ ଦେଇ ନିଜ ଘରକୁ ଫେରୁଥିଲେ। ତେବେ କୁଶପଙ୍ଗା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ଭାରସାମ୍ୟ ହରାଇ ବାଇକ ସହ ସେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବା ସହ ଆଜି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ସେହିପରି ଏକ ମାମଲା ରୁଜୁ କରି ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।