ଟି-୨୦ ବିଶ୍ବକପ୍: ଶ୍ରୀଲଙ୍କାକୁ ୬୫ରନରେ ହରାଇଲା ନ୍ୟୁଜିଲାଣ୍ଡ

ସିଡନି,ଏଜେନ୍ସି: ସିଡନି କ୍ରିକେଟ୍ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୬୫ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଦ୍ବାରା ରଖାଯାଇଥିବା ୧୬୮ ରନର ବିଜୟ ଲକ୍ଷ୍ୟର ଜବାବରେ ଶ୍ରୀଲଙ୍କା ୧୦୨ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ଦଳ ଆରମ୍ଭରୁ ୪ଟି ଓ୍ବିକେଟ ହରାଇ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୮ ରନ କରିଥିବାବେଳେ ୪ଟି ଓ୍ବିକେଟ ହରାଇଥିଲା ।

ଦଳୀୟ ସ୍କୋର ୨୪ ହେବାବେଳକୁ ଦଳ ୫ଟି ଓ୍ବିକେଟ ହରାଇସାରିଥିଲା । ଭାନୁକା ରାଜପକ୍ଷେ ଓ ଦାସୁନ ସନକା ଲଢୁଆ ବ୍ୟାଟିଂ କରି କ୍ରିଜରେ କିଛି ସମୟ ତିଷ୍ଠିବାକୁ ସକ୍ଷମ ହୋଇଥିଲେ । ରାଜପକ୍ଷେ ୩୪ ରନ ଓ ସନକା ୩୫ ରନ କରିବାରୁ ଦଳ ୧୦୦ ପର୍ଯ୍ୟନ୍ତ ଯାଇପାରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲଟ୍ ୪ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ସାଣ୍ଟନର ଓ ଇସ ସୋଡି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୫ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଫିଲିପ୍ସ ଓ ଡାରିଲ ମିଚେଲ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରିବା ସହ ଦଳୀୟ ସ୍କୋରକୁ ଏକ ଭଲ ସ୍ତରକୁ ନେଇଯାଇଥିଲେ । ତେବେ ମିଚେଲ ୨୨ରନରେ ଆଉଟ ହେବା ପରେ ଦଳର ମଧ୍ୟ ଭାଗ ବ୍ୟାଟ୍ସମ୍ୟାନମାନେ ବି ବିଫଳ ହୋଇଥିଲେ । ଏହା ସତ୍ତ୍ବେ ଫିଲିପ୍ସ ଗୋଟିଏ ପଟେ ରହି ନିଜର ଶତକ ପୂରଣ କରିଥିଲେ ।

ସେ ମାତ୍ର ୬୪ ବଲରୁ ୪ ଛକା ଓ ୧୦ ଚୌକା ସହ ୧୦୪ରନ କରି ଲାହିରୁ କୁମାରାଙ୍କ ବଲରେ ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ କାସୁନ ରଜିତା ୨ଟି ଓ୍ବିକେଟ୍ ନେଇଥିବାବେଳେ ଧନଞ୍ଜୟ ଡିସିଲଭା, ଓ୍ବାନିଣ୍ଡୁ ହସରଙ୍ଗା, ଲାହିରୁ କୁମାରା ଓ ମହିସ ତିକସନା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।