ଦକ୍ଷିଣ କୋରିଆରେ ହାଲୋୱିନ ଉତ୍ସବରେ ଦଳଚକଟା: ୧୫୧ ମୃତ, ୧୦୦ର ଅଧିକ ଆହତ

ସିଓଲ,ଏଜେନ୍ସି: ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ବଡ ଅଘଟଣ ଘଟିଯାଇଛି । ଶନିବାର ରାତିରେ ସିଓଲ ସ୍ଥିତ ଇଟାୱନ ଷ୍ଟ୍ରିଟରେ ହାଲୋୱିନ ଉତ୍ସବ ଚାଲିଥିବା ବେଳେ ଦଳଚକଟାରେ ୧୫୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କୁ ହୃଦଘାତ୍ ହୋଇଥିବା ସୂଚନା ମିଳିଛି । କୋଭିଟ କଟକଣା ଯୋଗୁଁ ୨ ବର୍ଷ ହେଲା ସିଓଲରେ ହାଲୋୱିନ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । କଟକଣା ହଟିବା ପରେ ଚଳିତ ବର୍ଷ ଧୁମଧାମରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ଏଥିପାଇଁ ଇଟାୱନ ଷ୍ଟ୍ରିଟରେ ଲକ୍ଷାଧିକ ଲୋକଙ୍କୁ ସମାଗମ ହୋଇଥିବା ସ୍ଥାନୀୟ ମିଡିଆ ରିପୋର୍ଟରୁ ଜଣାପଡିଛି ।

ହାଲୋୱିନ ଉତ୍ସବରେ ପ୍ରବଳ ଭିଡ ସୟରେ କେହି ସେଲିବ୍ରିଟି ଏଠାକୁ ଆସିଥିବା ଖବର ପ୍ରଚାରିତ ହୋଇଥିଲା । ଯାହାଫଳରେ ଇଟାୱନର ସଂକୀର୍ଣ୍ଣ ରାସ୍ତାରେ ଅଚାନକ ଠେଲାପେଲା ଆରମ୍ଭ ହୋଇଥିଲା । ଠେଲାପେଲାରେ ଅନେକ ଲୋକ ତଳେ ପଡିଯାଇଥିଲେ ଏବଂ ଅଚେତ ହୋଇଯାଇଥିଲେ । ଶ୍ବାସରୁଦ୍ଧ ହୋଇ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା ।

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କ ଚିକିତ୍ସା ପାଇଁ ପ୍ରାୟ ୪୦୦ରୁ ଅଧିକ ଆପତକାଳୀନ କର୍ମଚାରୀ ଏବଂ ୧୪୦ଟି ଗାଡିକୁ ନିୟୋଜିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୫୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବାବେଳେ, ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ମୃତକଙ୍କ ମଧ୍ୟରେ ୧୯ ଜଣେ ବିଦେଶୀ ନାଗରିକ ଥିବା ସୂଚନା ମିଳିଛି ।ଏହି ଦଳଚକଟା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ୟୁନ ସୁକ ଇଓଲ ଏହି ଅଘଟଣରେ ଦୁଃଖ ପ୍ରକାଶ କରିଛନ୍ତି ।