ନବରଙ୍ଗପୁର,ଏନ୍ଏନ୍ଏସ: ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କୁ ନେଇ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନ(ଡବ୍ଲ୍ୟୁଜେ ୟୁ) ସାମ୍ବାଦିକ ସଂଘ ନୂତନ ଭାବେ ଗଠିତ ହୋଇଛି । ଲକ୍ଷ୍ମୀ ଚନ୍ଦ୍ର ଦାଶ ପ୍ରେସ କ୍ଲବ ସମ୍ମିଳନୀ ଗୃହରେ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ସମୟରେ ସମ୍ବାଦିକତା କ୍ଷେତ୍ରରେ ଅଣସାମ୍ବାଦିକଙ୍କ ଅନୁପ୍ରବେଶ ଯୋଗୁ ପ୍ରକୃତ କାର୍ଯ୍ୟରତ ସାମ୍ବାଦିକଙ୍କ ସମ୍ମାନ ଓ ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଛି । ଏହାକୁ ପ୍ରତିହତ କରିବା ସହ ସାମ୍ବାଦିକଙ୍କ ସମସ୍ୟା ସମାଧାନ ଓ ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟା ଦୂରୀକରଣ କରିବା ପାଇଁ ବୈଠକରେ ନଷ୍ପତ୍ତି ନିଆଯାଇଥିଲା । ବରିଷ୍ଠ ସାମ୍ବାଦିକ ନବଘନ ବିଷୋୟୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ କମିଟି ଗଠନ କରଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ପି ପ୍ରକାଶଙ୍କୁ ଚୟନ କରାଯାଇଥିବାବେଳେ ଉପସଭାପତି ରୂପେ କିଶୋର ପଟ୍ଟନାୟକ, ସମ୍ପାଦକ ଏ ସତୀଶ, ସହସମ୍ପାଦକ ସ୍ୱାଧୀନ ପଣ୍ଡା ଓ କୋଷାଧ୍ୟକ୍ଷ ରବି ନାରାୟଣ ପଟ୍ଟନାୟକଙ୍କୁ ଚୟନ କରଯାଇଥିଲା । ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ରୂପେ କିରଣ କୁମାର ପଟ୍ଟନାୟକ , ଗୌରାଙ୍ଗ ପାତ୍ର, ଶ୍ରୀଧର ପାତ୍ର, ନବଘନ ବିଷୋୟୀ, ଅଜିତ କୁମାର ନାୟକ ଓ ମିଡିଆ ସଂଯୋଜକ ରୂପେ ସିଏଚ ଇଶ୍ୱର ରାଓଙ୍କୁ ଚୟନ କରାଯାଇଛି । ବିଶେଷ କରି ସାମ୍ବାଦିକ ବୃତ୍ତିରେ ସଂସ୍କାର ଆଣିବା ପାଇଁ ସଂଘ ଅଧିକ ଗୁରୁତ୍ୱ ଦେବ ବୋଲି ସଭାପତି ପି ପ୍ରକାଶ ସୂଚନା ପ୍ରଦାନ କରିଛନ୍ତି ।