ଏଣିକି କାର୍ ଯୋଗେ ମାନସରୋବର ଯାତ୍ରା!

ନୂଆଦିଲ୍ଲୀ,ଏଜେନ୍ସି: ଚୀନ୍‌ରେ ଅବସ୍ଥିତ କୈଳାସ ମାନସରବୋର ଯାତ୍ରା ନିମନ୍ତେ ଭାରତୀୟ ଶ୍ରଦ୍ଧାଳୁଙ୍କୁ ଅତ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡିଥାଏ। ହିମାଳୟ ପାଦଦେଶର ବିପଦସଙ୍କୁଳ ପଥ ଦେଇ ଶ୍ରଦ୍ଧାଳୁମାନେ କୈଳାସ ମାନସରୋବରରେ ପହଞ୍ଚିଥାନ୍ତି। ତେବେ ଶ୍ରଦ୍ଧାଳୁମାନେ ଆଗାମୀ ଦିନରେ କାର୍ ଯୋଗେ ସେଠାକୁ ଯାତ୍ରା କରିପାରିବେ ବୋଲି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ସୋମବାର ସୂଚନା ଦେଇଛନ୍ତି।

ଘାଟିଆବାଗାରରୁ ଲିପୁଲେଖ୍ ପର୍ଯ୍ୟନ୍ତ ସୀମାନ୍ତ ସଡକ ନିର୍ମାଣ ପାଇଁ କେନ୍ଦ୍ର ସରକାର ୬୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ମାନସରୋବର ଭକ୍ତମାନେ ସଡକପଥରେ ଚୀନ୍ ସୀମାନ୍ତବର୍ତ୍ତୀ ଗୁଞ୍ଜି (ପିଥୋରାଗଡ) ପର୍ଯ୍ୟନ୍ତ ଯାତ୍ରା କରିବାପରେ ମାନସରୋବରକୁ ଅଗ୍ରସର ହୋଇପାରିବେ। ଫଳରେ ସେମାନଙ୍କର କଷ୍ଟସାଧ୍ୟ ଯାତ୍ରା କିଛିମାତ୍ରାରେ ଲାଘବ ହେବ।