ଏଣିକି ଆଫଗାନ ମହିଳାମାନେ ପାଇବେ ପଢିବାର ସ୍ୱାଧୀନତା: ତାଲିବାନ ସରକାର

ନୂଆଦିଲ୍ଲୀ,ଏଜେନ୍ସି: ତାଲିବାନ କବଜା କରିବା ପରଠାରୁ ଆଫଗାନିସ୍ତାନରେ ତାଲିବାନୀ ଅତ୍ୟାଚାରର ଶିକାର ହେଉଛନ୍ତି ମହିଳା। ଅନେକ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ବି କରାଯାଉଛି। ଏବେ ନୂଆ ଦାବି କରିଛି ତାଲିବାନ। ତାଲିବାନ ପକ୍ଷରୁ କୁହାଯାଇଛି କି, ଦେଶାର ମହିଳାଙ୍କୁ ପାଠପଢିବାର ମିଳିବ ସ୍ୱାଧୀନତା। ତାଲିବାନର କାର୍ଯ୍ୟକାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅବଦୁଲ ହକାନୀ ମହିଳାମାନଙ୍କ ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି।

ଅବଦୁଲ ହକାନି କହିଛନ୍ତି ଯେ ତାଲିବାନ ଶାସନରେ ଝିଅମାନେ ବିଶ୍ୱବିଦ୍ୟାଳୟରେ ପାଠପଢିପାରିବେ। ଏହି ସମୟ ମଧ୍ୟରେ ପୁଅ ଏବଂ ଝିଅମାନଙ୍କର ଏକାଠି କ୍ଲାସ ଚାଲିବ ନାହିଁ। କେବଳ ସେତିକି ନୁହେଁ ମହିଳାମାନଙ୍କୁ ଅଧ୍ୟୟନ ପରେ କାମ କରିବାକୁ ମଧ୍ୟ ଅନୁମତି ଦିଆଯିବ। ୧୯୯୦ ଶାସନ ପୂର୍ବରୁ ତାଲିବାନ ବାଳିକା ଶିକ୍ଷା ବିରୋଧୀ ଥିଲା। ସେ ଝିଅମାନଙ୍କୁ କଲେଜ ଯିବାକୁ ବାରଣ କରୁଥିଲା। ଏବେ ତାଲିବାନ ପୁଣି କ୍ଷମତାକୁ ଆସିବା ପରେ ଏହା ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିଛି।

କାର୍ଯ୍ୟକାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅବଦୁଲ ହକାନୀ ଝିଅମାନଙ୍କର ଶିକ୍ଷା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନର ଲୋକମାନେ ଶାରିଆ ଆଇନ ଅନୁଯାୟୀ ଉଚ୍ଚଶିକ୍ଷା ଲାଭ କରିପାରିବେ। ବିଶ୍ୱବିଦ୍ୟାଳୟରେ ଝିଅମାନଙ୍କ ପାଇଁ ଅଲଗା କ୍ଲାସ ଚାଲିବ ବୋଲି ସେ କହିଛନ୍ତି। ସେମାନଙ୍କୁ ପୁଅମାନଙ୍କ ସହିତ ଅଧ୍ୟୟନ କରିବାକୁ ଦିଆଯିବ ନାହିଁ। ଏହାପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରଠାରୁ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଥିଲା।