କୁଖ୍ୟାତ ଆନ୍ତଃଜିଲ୍ଲା ଅପରାଧୀ ଗିରଫ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ଟାଉନ ଥାନା ପୁଲିସ କୁଖ୍ୟାତ ଆନ୍ତଃଜିଲ୍ଲା ଅପରାଧୀ ତଥା ଭାକୁଲ ମୁଖୀଙ୍କ ଆକାଶ ଓରଫ ବାଦଲ ମୁଖୀ(୨୨)ଙ୍କୁ ଧରିବାରେ ସଫଳ ହୋଇଛି। ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୨୪ କାଳିକାପୁର ଅଞ୍ଚଳର ଆକାଶ ମୁଖୀ ଘରକୁ ଫେରି ଥିବା ସୂଚନା ବାରିପଦା ଟାଉନ ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ। ଏହାପରେ ଏସଆଇ ପିକେ ସାହୁ, ଏଏସଆଇ ଜିଏସ ପରିଡ଼ାଙ୍କ ସହ ଥାନାର ଅନ୍ୟ ପୁଲିସ କର୍ମଚାରୀମାନେ ଅତର୍କିତ ଭାବେ କାଳିକାପୁର ଅଞ୍ଚଳରେ ଚଢ଼ଉ କରି ଆକାଶ ମୁଖୀକୁ ଗିରଫ କରି ଥାନାକୁ ଆଣି ପଚରାଉଚୁରା କରିବା ପରେ ସେ ପୁଲିସ ନିକଟରେ ନିଜର ସମସ୍ତ ଅପରାଧ ସ୍ୱୀକାର କରିଥିଲା।

ଏଥି ସହିତ ବାରିପଦା ଟାଉନ ଥାନାରେ ଲୋକଙ୍କ ଘରୁ ଚୋରି କରିଥିବା ସାମଗ୍ରୀ ବିଷୟରେ ସୂଚନା ଦେବା ସହ ତଖତପୁର ୟୁନିଭର୍ସିଟି ଅଞ୍ଚଳରେ ବସବାସ କରୁଥିବା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ନଳଗଜା ଅଞ୍ଚଳର ସଞ୍ଜୀବ ବେହେରା ଓରଫ ମାମା(୩୩)ଙ୍କୁ କେତେକ ଚୋରି ସାମଗ୍ରୀ ବିକ୍ରି କରିଥିବା ପୁଲିସ ନିକଟରେ ପ୍ରକାଶ କରିଥିଲା। ପରେ ପୁଲିସ ତଖତପୁର ଅଞ୍ଚଳରୁ ମାମା ଓରଫ ସଞ୍ଜୀବକୁ ବେଆଇନ ଭାବେ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି। ସେହିପରି ଆକାଶ ମୁଖୀ ଓ ସଞ୍ଜୀବ ବେହେରାଙ୍କ ନିକଟରୁ ପୁଲିସ ଗୋଟାଏ ଲେଖାଏଁ ଆଇ ପ୍ୟାଡ୍, ଏମଆଇ ଏଲଚ୍ଛଡ଼ି ଟିଭି(୪୩”) ଓ ଏଲଜି ଏଲଇଡ଼ି ଟିଭି(୨୪”) ଜବତ କରିଛି।

ସୂଚନା ଯୋଗ୍ୟ ଯେ, ଆକାଶ ଓରଫ ବାଦଲ ମୁଖୀ ନାମରେ ମୟୂରଭଞ୍ଜ ଜିଲ୍ଲା ସହ ଜିଲ୍ଲା ବାହାର ଥାନାରେ ୨୨ରୁ ଅଧିକ ମାମଲା ରହିଛି ଏବଂ ପୁଲିସ ତାର ତଲାସରେ ରହିଥିବା ବେଳେ ଶେଷରେ ବାରିପଦା ଟାଉନ ଥାନା ପୁଲିସ ତାକୁ ଧରିବାରେ ସଫଳ ହୋଇଛି।