ଜୁଆ ଆଡ୍ଡାରେ ଚଢ଼ଉ କରି ଫେରୁଥିବା ବେଳେ ପୁଲିସ ଉପରକୁ ଆକ୍ରମଣ, ଥାନା ଅଧିକାରୀ ଗୁରୁତର ଆହତ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଜୁଆ ଆଡ୍ଡାରେ ଚଢ଼ଉ ପାଇଁ ଯାଇଥିବା ପୁଲିସ ଟିମ ଉପରେ ଲୋକଙ୍କ ଆକ୍ରମଣ ଫଳରେ ଥାନା ଅଧିକାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ପୁଲିସ କର୍ମଚାରୀ ମାନେ ସାମାନ୍ୟ ଆହାତ ହୋଇଛନ୍ତି। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ। ଲୋକଙ୍କ ସଙ୍ଗବଦ୍ଧ ଆକ୍ରମଣରେ ଗୁରୁତର ହୋଇଛନ୍ତି ବ୍ରାହ୍ମଣୀଗାଁ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ।

ଗତକାଲି କୁମାର ପୂର୍ଣ୍ଣିମା ଥିବାରୁ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ଖବରପାଇ ରାତିରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ମେରାମାହା ଅଞ୍ଚଳର ଜୁଆ ଆଡ୍ଡାରେ ଚଢ଼ଉ କରିଥିଲେ। ପୁଲିସ ଆସିବା ଜାଣି ପାରି ଜୁଆଡ଼ି ମାନେ ଖସି ଯାଇଥିଲେ। ତେବେ ପୁଲିସ ପାଟ୍ରୋଲିଂ କରି ଫେରିବା ସମୟରେ ଗ୍ରାମବାସୀମାନେ ରାସ୍ତା ଉପରେ କାଠ ଗଣ୍ଡି ଓ ପଥର ରଖି ଅବରୋଧ କରିଥିଲେ। ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚିବା ପରେ ରାସ୍ତାରୁ ପଥର ଓ କାଠ ଗଣ୍ଡି ହଟାଇବାକୁ ଗାଡ଼ିରୁ ବାହାରକୁ ବାହାରିବା ମାତ୍ରେ ଗ୍ରାମବାସୀମାନେ ପୁଲିସ ଟିମ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଥାନା ଅଧିକାରୀ ଗୁରୁତର ଆହତ ହୋଇଥିବା ବେଳେ ପୁଲିସ ଗାଡ଼ିକୁ ପଥର ମାରି ଆକ୍ରମଣକାରୀମାନେ ଭାଙ୍ଗି ଦେଇଥିଲେ। ଲୋକଙ୍କ ଆକ୍ରମଣରେ ଥାନା ଅଧିକାରୀ ଗୁରୁତର ଆହତ ହୋଇଥିଲେ।

ସେଠାରୁ ଅଧାବାଟ ଅଟୋରେ ଓ ଅଧାବାଟ ପୁଲିସର ଅନ୍ୟ ଏକ ଗାଡିରେ ଆସି ରାତି ୧୨ଟାରେ ଥାନା ଅଧିକାରୀ ସମେତ ଅନ୍ୟ କର୍ମଚାରୀ ମାନେ ଥାନାରେ ପହଞ୍ଚିଥିଲେ। ଆଜି ସକାଳୁ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାନସ ରଞ୍ଜନ ବାରିକ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ୨ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମେରା ମାହା ଗ୍ରାମରେ ଫ୍ଲାଗମାର୍ଚ୍ଚ କରିବା ସହିତ ପୁଲିସ ଗାଡ଼ିକୁ ଉଦ୍ଧାର କରିଥିଲେ। ଏନେଇ ବ୍ରାହ୍ମଣୀଗାଁ ଥାନାରେ କେସନଂ ୮୯/୨୦ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଥିବା ନେଇ ତଦନ୍ତକାରୀ ଅଧିକାରୀ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି। ଗିରଫ ୬ ଜଣ ହେଲେ ମେରାମାହା ଗ୍ରାମର ହାଡ଼ି ବିଶୋଇ, ତିଳତମା ବିଶୋଇ, ଭବାନୀ ବିଶୋଇ, କନ୍ଧୁଣି ବିଶୋଇ, ମହେଶ୍ୱର ବିଶୋଇ, ଦାଶରଥୀ ବିଶୋଇ।

ଘଟଣା ପରେ ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକ, ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ପୋଲିସ ଫୋର୍ସ ରବିବାର ଦିନ ସକାଳେ ଉକ୍ତ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ୬ ଜଣଙ୍କୁ ଗିରଫ କରିବା ସହିତ ପୁଲିସ ଗାଡିକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ୬ ଜଣ ଗିରଫ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଦନ୍ତକାରୀ ଅଧିକାରୀ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି।