ଉତ୍ତର ଭାରତରେ ବର୍ଷା ଭାଙ୍ଗିଲା ରେକର୍ଡ: ୩୧ ମୃତ

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଭୀଷଣ ବର୍ଷା ତାଣ୍ଡବ ରଚୁଛି । ଦିଲ୍ଲୀ-ନୋଏଡାଠୁ ଆରମ୍ଭ କରି ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରୁ ଭୟାବହ ଫଟୋ ସାମ୍ନାକୁ ଆସୁଛି । ରାଜଧାନୀର ଅନେକ ସ୍ଥାନରେ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଜମି ଯାଇଛି । ୪୧ ବର୍ଷରେ ପ୍ରଥମଥର ପାଇଁ ୨୪ ଘଣ୍ଟାରେ ଏତେ ପରିମାଣରେ ବର୍ଷା ହୋଇଛି । ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ଉପରୋକ୍ତ ସମସ୍ତ ରାଜ୍ୟରୁ ମୋଟ ୩୧ଜଣଙ୍କ ମୃତ୍ୟୁ ଘଟିଛି ।

ହିମାଚଳ ପ୍ରଦେଶରେ ବନ୍ୟା ସ୍ଥିତି ଉପୁଜିଥିବାବେଳେ ୭ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । ଫଳରେ ବଦ୍ରିନାଥ ନ୍ୟାସନାଲ ହାଇୱେ ଓ ଅଟଳ ଟନଲକୁ ବନ୍ଦ କରିଦିଆଯାଇଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ଘର ଭିତରେ ରହିବାକୁ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଅପିଲ କରିଛନ୍ତି । ଏଥିସହିତ ସରକାରଙ୍କ ପକ୍ଷରୁ ୩ଟି ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।