କାହାକୁ ବି ଟିକା ଲଗାଇବାକୁ ବାଧ୍ୟ କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣିଥରେ ବଢ଼ିବାରେ ଲାଗିଛି । ଇତିମଧ୍ୟରେ କରୋନା ଭ୍ୟାକ୍ସିନ ସହ ଜଡ଼ିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସରକାରଙ୍କ ଟିକାକରଣ ନୀତିକୁ ସଠିକ ଦର୍ଶାଇଛନ୍ତି । ଏହା ବୈଜ୍ଞାନିକଙ୍କ ସାକ୍ଷ୍ୟ ଉପରେ ଆଧାରିତ ହେବା ସତ୍ୱେ କାହାକୁ ବି ଟିକା ଲଗାଇବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଟିକା ନ ଲଗାଇଥିବା ଲୋକ ସାର୍ବଜନିକ ସୁବିଧା ବ୍ୟବହାର କରିବାରୁ ବଞ୍ଚିତ ରହିବାର ଆଦେଶକୁ ରାଜ୍ୟ ସରକାର ହଟାଇ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଏଥିସହିତ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲର ସଂଖ୍ୟାକୁ ସାର୍ବଜନିକ କରିବାକୁ କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ଭାରତରେ ଗତ ସପ୍ତାହରେ ୨୨ ହଜାର କରୋନା ମାମଲା ସାମ୍ନାକୁ ଆସିଥିଲା । ଏହାପୂର୍ବ ସପ୍ତାହ ୧୫, ୮୦୦ ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଚଳିତ ସପ୍ତାହ ୯୧ ପ୍ରତିଶତ କରୋନା ମାମଲା ବୃଦ୍ଧି ପାଇଛି । ଦିଲ୍ଲୀ, ହରିୟାଣା ଓ ୟୁପିରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।