ଅଭିଯୋଗ ପରେ ବି ମିଳୁନି ପିଇବା ପାଣି

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ଠାରୁ କେନ୍ଦ୍ର ସରକାର ପିଇବା ପାଣି ଯୋଗାଇଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ବିଫଳ ହେଉଥିବା ଅଭିଯୋଗ ହେଉଛି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନ ମଧ୍ୟରେ ଖରାପ ହୋଇଯାଉଥିବା ଅଭିଯୋଗ କରୁଛନ୍ତି ଲୋକେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ମେଣ୍ଟ୍ରି ପଞ୍ଚାୟତର ବରଗାଁ ଗ୍ରାମରେ। ସେଠାରେ ଥିବା ବୋରୱେଲ ଦେଢ ମାସ ହେବ ଖରାପ ହୋଇଗଲାଣି, ହେଲେ କେହି ଶୁଣିବାକୁ ନାହାନ୍ତି।

ଯନ୍ତ୍ରୀ ଠାରୁ ଆରମ୍ଭ କରି ବିଡିଓ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଉକ୍ତ ବୋରୱେଲ ଉପରେ ପଞ୍ଚାୟତର ୧୦ ନମ୍ବର ଓ ୧୧ ନମ୍ବର ୱାର୍ଡର ପ୍ରାୟ ୭ ଶହ ଲୋକ ନିର୍ଭର କରନ୍ତି ବୋଲି ଗ୍ରାମର ପଦ୍ମନାଭ ବିଷୋୟୀ କହିବା ସହ ବାରମ୍ବାର ଏ ବିଷୟରେ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଉକ୍ତ ଗ୍ରାମର ଲୋକେ ପିଇବା ପାଣି ପାଇଁ ଏକ କିଲୋମିଟର ସିରାଗୁଡ଼ାରୁ ଆସି ନେଉଥିବା ଗ୍ରାମବାସୀ କହିଛନ୍ତି।

ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଜୟପ୍ରକାଶ ମିଶ୍ରଙ୍କୁ ପଚାରିବାରୁ ସେ ଆମ କଲ୍ ଗ୍ରହଣ କରି ନଥିଲେ। ଅଧିକ ଜାଣିବା ପାଇଁ ନନ୍ଦାହାଣ୍ଡି ଭାରପ୍ରାପ୍ତ ବିଡିଓ ପ୍ରଫୁଲ୍ଲ କହଁରଙ୍କୁ ପଚାରିବାରୁ ପଞ୍ଚାୟତ ସ୍ତରରେ କର୍ମଚାରୀ ଅଛନ୍ତି। ସେମାନେ କରିବା କଥା। କାହିଁକରୁ ନାହାନ୍ତି ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବି ବୋଲି ଶ୍ରୀ କହଁର କହିଥିଲେ।