ତୈଳଦରରେ ମିଳିବନି ରିହାତି

ନୂଆଦିଲ୍ଲୀ,ଏଜେନ୍ସି: ତେଲ ଦର ଶତକ ମାରି ସାରିଥିବା ବେଳେ ସାଧାରଣ ଲୋକ ଏହା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ । ତେବେ ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ନୂତନ ସୂଚନା ଅନୁଯାୟୀ ପେଟ୍ରୋଲ ଡିଜେଲ ଦର ବର୍ତ୍ତମାନ କମ ହେବାର କୌଣସି ସମ୍ଭାବନା ନାହିଁ । କେବଳ ପୋର୍ଟବ୍ଲେୟାରକୁ ବାଦ ଦେଲେ ଦେଶର ସବୁସ୍ଥାନରେ ପେଟ୍ରୋଲ ଦର ୧୦୦ ଉପରେ ରହିଛି । ଏପରି ସ୍ଥିତିରେ ତୈଳ ଉପରୁ ଟିକସ ଛାଡ କରାଯାଇ ମୂଲ୍ୟ ହ୍ରାସ କରାଯିବ ବୋଲି ଆଶଙ୍କା କରା ଯାଉଥିଲା ।

ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସମ୍ଭାବନାକୁ କ୍ଷୀଣ କରି ଦିଆଯାଇଛି । ବର୍ତ୍ତମାନ ଟିକସ କମ କରିବା ଉପରେ ସରକାର ବିଚାର କରୁନାହାନ୍ତି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଖାରଜ କରିଛି ଅର୍ଥ ବିଭାଗ । ୨୦୧୪ ପରଠାରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଆଦାୟ କରାଯାଉଥିବା ଟିକସ ଢେର ଅଧିକ ରହିଛି । ଏହି ଟିକସ ଅଧିକ ରହିବା କାରଣରୁ ଦେଶବାସୀଙ୍କୁ ତେଲ ଉପରେ ଅଧିକ ପଇସା ଦେବାକୁ ପଡୁଛି ।

ଏପ୍ରିଲ ୨୦୧୪ରେ ପେଟ୍ରୋଲ ଉପରେ ମାତ୍ର ୯.୪୮ ଟଙ୍କା ଏବଂ ଡିଜେଲ ଉପରେ ୩.୧୮ ଟଙ୍କାର ଟିକସ ଆଦାୟ ହେଉଥିଲା । ମାତ୍ର ଏପ୍ରିଲ ୨୦୨୨ରେ ପେଟ୍ରୋଲ ଉପରେ ୨୭.୯ ଟଙ୍କା ଏବଂ ଡିଜେଲ ଉପରେ ୨୧.୮ ଟଙ୍କାର ଟିକସ ଆଦାୟ କରାଯାଉଛି । ଏହାକୁ କମ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ହେଁ ଖାରଜ କରି ଦିଆଯାଇଛି ।