ଏନଏଲସି କମ୍ପାନୀ କାର୍ଯ୍ୟକ୍ଷମ ହେଉ, କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନିୟମ ଅନୁଯାୟୀ ଜନଶୁଣାଣି କରିବାପରେ ଏନଏଲସି କମ୍ପାନୀ କାର୍ଯ୍ୟକ୍ଷମ ହେଉ ବୋଲି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଦାବି କରିଛନ୍ତି। ଏଥିପାଇଁ ସେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲା ହିର୍ମା ପଞ୍ଚାୟତରେ ଏନଏଲସି କମ୍ପାନୀ ଏକ ପାୱାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଯୋଜନା କରିଛି।

ଏହାସହ ଏନଏଲସି କମ୍ପାନୀ ଖିଣ୍ଡାରେ ଏକ କୋଇଲା ଖଣି ଅଧିଗ୍ରହଣ କରିବା ସହ ସ୍ଥାନୀୟ ଟ୍ରାନ୍ସପୋର୍ଟରମାନଙ୍କ ସାହାଯ୍ୟରେ ଶହଶହ ଟନ କୋଇଲା ବେଆଇନ ଭାବରେ ସଂଗ୍ରହ କରୁଛି। ଏନଏଲସି କମ୍ପାନୀ ସ୍ଥାପନ ହେଲେ ଏଥିରେ ହିର୍ମା ପଞ୍ଚାୟତ, ତରେଇକେଲା, କୁମ୍ଭାରୀ, ଗରିଆଡିହି ତଥା ଆଖପାଖ ଗ୍ରାମ ବିଶେଷ ଭାବରେ ପ୍ରଭାବିତ ହେବେ। ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଏକ ସଫଳ ଜନଶୁଣାଣି ପରେ ଏନଏଲସି କମ୍ପାନୀ କାର୍ଯ୍ୟକ୍ଷମ ହେଉ ବୋଲି ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି। ଏହାସହ ଖିଣ୍ଡା ମାଇନ୍ସରୁ ହେଉଥିବା ବେଆଇନ କୋଇଲା ଚାଲାଣ ଉପରେ ରୋକ ଲଗାଯାଉବୋଲି ଟଙ୍କଧର ପ୍ରକାଶ କରିଛନ୍ତି।