ନିୟମଗିରିର ପାରଶାଲିରେ ମାଓ ପୋଷ୍ଟର ଓ ବ୍ୟାନର, ଠିକାଦାରଙ୍କୁ ମୃତ୍ୟୁ ଦଣ୍ଡ ଧମକ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ଅଞ୍ଚଳର ପାରଶାଲି ପଞ୍ଚାୟତ ନିକଟରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ଜେଟରେ ଗୋଟିଏ ବ୍ୟାନର ଓ ୨ଟି ମାଓ ପୋଷ୍ଟର ଲଗାଯାଇଛି । ଏଥିରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ ବୋଲି ଦର୍ଶାଯାଇଛି । ନିୟମଗିରି ଅଞ୍ଚଳରେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି। ପାରସାଲି ଠାରୁ ସାରିଝୋଲା ଓ ବୁଡୁଣି ଠାରୁ ଗୁମ୍ମା, ଏହି ୨ ରାସ୍ତା ଠିକାଦାରଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ଓ ଦୁଇ ଦଲାଲିଙ୍କୁ ଦଣ୍ଡ ଦିଆଯିବ ବୋଲି ଏଥିରେ ଧମକ ଦିଆଯାଇଛି । ବିଦେଶୀ କମ୍ପାନୀ ବେଦାନ୍ତର ସ୍ୱାର୍ଥ ପାଇଁ ନିୟମଗିରି ଅଞ୍ଚଳରେ ରାସ୍ତା ନିର୍ମାଣ ଜୋର ଜବରଦସ୍ତ କରାଯାଉଛି । ଅଞ୍ଚଳବାସୀଙ୍କ ବିନା ମତାମତ କିମ୍ବା ବିନା ଗ୍ରାମସଭାରେ ରାସ୍ତା କରିବା କାରଣ କଣ ବୋଲି ପ୍ରଶ୍ନ କରାଯାଇଛି। ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ୮ ପର୍ଯ୍ୟନ୍ତ ପିଏଲ୍ ଜିଏଲ୍ ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି । ସେପଟେ ଘଟଣାସ୍ଥଳରେ କଲ୍ୟାଣସିଙ୍ଗପୁର ପୁଲିସ ପହଞ୍ଚି ପୋଷ୍ଟର ଓ ବ୍ୟାନର ଜବତ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଏ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ରାୟଗଡା ଏସପି କହିଛନ୍ତି ଯେ ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତା , ମତାମତ ଏବଂ ସହଯୋଗରେ ଉନ୍ନୟନ କାମ ଜାରି ରହିଛି । ଏହାକୁ ବ୍ୟାଘାତ କରିବା ପାଇଁ ମାଓବାଦୀଙ୍କ ଏହା ଏକ ଯୋଜନା। ତେଣୁ ସେହି ଅଞ୍ଚଳରେ ପୁଲିସ ଏବଂ ପରାମିଲେଟେରୀ ଫୋର୍ସର ଏରିଆ ଡୋମିନେସନ ଜାରି ରହିଛି ।