୮୪୧ କେଜି ଗଞ୍ଜେଇ ଜବତ : ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ପୁଲିସ ୮୪୧ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିହାରର ବକ୍ସର ଜିଲ୍ଲାର ଧୀରୋଜ କୁମାର(୨୦) ଓ ଅରବିନ୍ଦ କୁମାର (୧୯)। ପରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ରିପୋର୍ଟ ମୁତାବିକ, ସେମିଲିଗୁଡ଼ା-ନନ୍ଦପୁର ରାସ୍ତାର ରାଜପୁଟ ଛକରେ ପୁଲିସ ପେଟ୍ରୋଲିଂ ବେଳେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା ଯେଉଁଥିରୁ ଗଞ୍ଜେଇ ମିଳିଥିଲା ବୋଲି ସେମିଲିଗୁଡ଼ା ଥାନାର ଭାରପ୍ରାପ୍ତ ନିରୀକ୍ଷକ ଧୀରେନ କୁମାର ବେହେରା ସୂଚନା ଦେଇଛନ୍ତି। ସେଥିରେ ୨୮ ପ୍ୟାକେଟ ଗଞ୍ଜେଇ ରହିଥିଲା ଯାହାକି ଲମତାପୁଟ ଅଞ୍ଚଳରୁ ସେମିଲିଗୁଡ଼ା ଛତିଶଗଡ଼କୁ ଯାଉଥିଲା। ପରେ ସେମିଲିଗୁଡ଼ା ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଦେବବ୍ରତ କାରାଟିଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ୮୪୧ କେଜି ହେବାସହ ଏହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଯାଞ୍ଚ ସମୟରେ ଆଇଆଇସି ଶ୍ରୀ ବେହେରାଙ୍କ ସମେତ ସିଏସଆଇ ପ୍ରଭାତ ଗୌଡ଼, ଏଏସଆଇ ବି ସି ପଟ୍ଟନାୟକ, ଶରତ ଚନ୍ଦ୍ର ବିଷୋୟୀ, ହାବିଲଦାର ଏମ କେ ବାଘ, କନେଷ୍ଟବଳ ମଧୁସୂଦନ ମୁଦୁଲି ଓ ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିିତ ଥିଲେ।