ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଛି। ଏହି ଘୂର୍ଣ୍ଣିବାତ୍ୟାର ନାମ ‘ନିଭାର’ ରଖାଯାଇଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଚେନ୍ନାଇ ଓ ଏହାର ସହରତଳି ଅଞ୍ଚଳରେ ଗତ ସଂଧ୍ୟାରୁ ବର୍ଷା ଲାଗି ରହିଛି। ଚେନ୍ନାଇସ୍ଥିତ ପାଣିପାଗ କାର୍ଯ୍ୟାଳୟ କହିଛି ନିବାର ଘୂର୍ଣ୍ଣିବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହାର ବେଗ ଘଣ୍ଟାପ୍ରତି ୫ କିଲୋମିଟର ରହିଛି।
ଘୂର୍ଣ୍ଣିବାତ୍ୟା ବର୍ତ୍ତମାନ ଚେନ୍ନାଇଠାରୁ ୪୫୦ କିଲୋମିଟର ଦକ୍ଷିଣ-ପୂର୍ବ ଓ ପୁଡୁଚେରୀଠାରୁ ୪୧୦ କିଲୋମିଟର ଦକ୍ଷିଣ-ପୂର୍ବକୁ ଏକ ଅଞ୍ଚଳରେ ଅବସ୍ଥାନ କରିଛି। ଆସନ୍ତା ୨୪ଘଣ୍ଟା ଭିତରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେବ। ଆସନ୍ତାକାଲି ସଂଧ୍ୟାରେ ଏହା କରାଇକଲ ଓ ମାଲାପୁରମ୍ ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବ। ଘୂର୍ଣ୍ଣିବାତ୍ୟା ସ୍ଥଳଭାଗକୁ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିବାର ଅନୁମାନ କରାଯାଉଛି ଓ ସମୟେ ସମୟେ ପବନର ବେଗ ୧୨୦ କିଲୋମିଟରକୁ ବୃଦ୍ଧି ପାଇପାରେ।