ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଘୁନସର ଆଦିଶକ୍ତି ପୀଠରେ ଜିଲ୍ଲା ଆଦିବାସୀ କଲ୍ୟାଣ ତରଫରୁ ନିଶାନ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଦୀମାତା ଧରନି ପେନୁଙ୍କୁ ପୂଜାର୍ଚ୍ଚନା ପରେ ଆଦିବାସୀ ମାନେ ପାରମ୍ପାରିକ ନୃତ୍ୟ, ବାଦ୍ୟ, ଗୀତ ତାଳେତାଳେ ଘୁନସର ଗାଁରେ ସଂସ୍କୃତିକ ଶୋଭାଯାତ୍ରା କରିଥିଲେ। ନାରେନ ଢାପ ଦଳ, ପିପିଲକାନି ଡ଼କାଦଳ, ସୁରଡ଼ା ଡ଼କା ପାଟି ସହିତ ସଇଁନ୍ତଳା ବ୍ଲକର ଡ଼କାଦଳ ଯୋଗଦେଇଥିଲେ। ବିଶାଳ ସଂସ୍କୃତିକ ଶୋଭାଯାତ୍ରା ପରେ ଆଦିଶକ୍ତି ପୀଠରେ ନିଶାନ ଯାତ୍ରା ଅବସରରେ ପ୍ରାଚୀନ ଆଦିବାସୀ ଢାପ ନୃତ୍ୟ, ଡ଼କା ନୃତ୍ୟ, ଲୋକ ନୃତ୍ୟ, ଲୋକ ସଂଗୀତ, ଲୋକ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ନିଶାନ ଯାତ୍ରା ଉଦଯାପନୀ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଉପଦେଷ୍ଟା ଅବସରପ୍ରାପ୍ତ ଅବକାରୀ ଅଧୀକ୍ଷକ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ଥବିର ପୁଝାରୀ, ଈଶ୍ୱର ମିର୍ଦ୍ଧା, ସରୋଜ ପୁଝାରୀ, ପୀଠର ମୁଖ୍ୟ ପୂଜକ ହୀରା ବାବା ଉପସ୍ଥିତ ଥିଲେ। ଆଦିବାସୀ ସାଂସ୍କୃତି, ଭାଷା, ଧର୍ମ, ଦେବାଦେବୀ ପୂଜାପାଳିତ ମନ୍ତ୍ର ତନ୍ତ୍ର, ବିଦ୍ୟା, ଶିକ୍ଷା, ଦୀକ୍ଷାର ପୁନରୁଦ୍ଧାର କରି ଆଦିବାସୀଙ୍କ ଆଦି ପରମ୍ପରାକୁ ଉଦଯାପିତ କରିବାକୁ ଆଦିବାସୀ ନେତାମାନେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଥବିର ପୂଝାରୀ ସଭା ପରିଚାଳନା କରିଥିବାବେଳେ ଲୋକଭିମୁଖି କରିବାକୁ ଆସନ୍ତା ବର୍ଷ ଜିଲ୍ଲା ସ୍ତରୀୟ ନିଶାନ ଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଥିଲା।