ନିର୍ଭୟା ଘଟଣା : ମୁକେଶ ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,ଏଜେନ୍ସି : ୨୦୧୨ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଚାରିଜଣଙ୍କ ମଧ୍ୟରୁ ଆସାମୀ ମୁକେଶ ସିଂହ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଇନଗତ ସହାୟତା ଲୋଡ଼ିଛି। ସେ ଓକିଲଙ୍କ କଥାରେ ବିଭ୍ରାନ୍ତ ହୋଇଛି ବୋଲି ଅଭିଯୋଗ କରିଛି। ଆଇନଜୀବୀ ଏମ୍ଏଲ୍ ଶର୍ମାଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରି ମୁକେଶ ସିଂହ କେନ୍ଦ୍ର, ଦିଲ୍ଲୀ ସରକାର ଓ ଆମିକସ୍ କ୍ୟୁରି ବ୍ରିନ୍ଦା ଗ୍ରୋଭରଙ୍କ ଜାଲିଆତି ଓ ଫୌଜଦାରୀ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଦର୍ଶାଇଛି। ଗୁରୁବାର ଟ୍ରାଏଲ୍ କୋର୍ଟ ଆସାମୀ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ କୁମାର ସିଂହ (୩୧)ଙ୍କୁ ମାର୍ଚ୍ଚ ୨୦ ସକାଳ ସାଢ଼େ ୫ଟାରେ ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ ବୋଲି ମୃତ୍ୟୁ ପରୱାନା ଜାରି କରିଥିଲେ।

ଆବେଦନକାରୀ ମୁକେଶ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଦିଲ୍ଲୀ ସରକାର ଓ ବ୍ରିନ୍ଦା ଗ୍ରୋଭରଙ୍କ ସମେତ ଅନ୍ୟାନ୍ୟ ଓକିଲଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କିଛି ଓକିଲ ତାଙ୍କୁ ସେସନ୍ସ କୋର୍ଟ ଅର୍ଡର ଦେଖାଇ ବକାଲତନାମା ସମେତ କିଛି କାଗଜପତ୍ରରେ ଦସ୍ତଖତ କରାଇ ନେଇଥିଲେ ଯାହା ଅଦ୍ୟାପି କୌଣସି କୋର୍ଟରେ ଦାଖଲ କରାଯାଇନାହିଁ। କ୍ୟୁରେଟିଭ ପିଟିସନ୍ ଦାଖଲ କରାଯିବ କହି ଓକିଲ ଯେଉଁ କାଗଜରେ ମୁକେଶଙ୍କ ଦସ୍ତଖତ ନେଇଥିଲେ, ତାହା ଏ ପର୍ଯ୍ୟନ୍ତ କୌଣସି କୋର୍ଟରେ ଦାଖଲ କରାଯାଇନି। ତଥାକଥିତ ସେସନ୍ସ କୋର୍ଟ ରାୟ ଭୟରେ ସେ ଯେଉଁ ଡକୁମେଣ୍ଟରେ ଦସ୍ତଖତ କରିଥିଲେ, ସେସବୁ ତାଙ୍କ ବିରୋଧରେ କରାଯାଇଥିବା ଫୌଜଦାରୀ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ମୁକେଶ ଅଭିଯୋଗ କରିଛନ୍ତି। ତେଣୁ ସମ୍ପୃକ୍ତ ଘଟଣାର ସିବିଆଇ ତଦନ୍ତ ଆଦେଶ ଦେବାକୁ ସେ ସୁପ୍ରିମକୋର୍ଟଙ୍କୁ ପ୍ରାର୍ଥନା କରିଛି। ତା’ ସହିତ ସାନି କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସମୟ ମାଗିଛି।