ପିଲାଙ୍କୁ ନିକୃଷ୍ଟମାନର ଖାଦ୍ୟ ଦେଉଛନ୍ତି ଅଙ୍ଗନବାଡ଼ି କର୍ମୀ, ଜିଲ୍ଲାପାଳଙ୍କୁ ଦାବିପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲୋଇସିଂ ପଞ୍ଚାୟତ ନିକ୍ତିମାଲ ଗ୍ରାମର ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।  ଏନେଇ ଗ୍ରାମବାସୀ ଜିଲ୍ଲାପାଳ ଏବଂ ସିଡିପିଓଙ୍କ ଦ୍ୱାରସ୍ଥହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ, ନିକ୍ତିମାଲ ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ଥିବା ଅଙ୍ଗନବାଡି କର୍ମୀ ଠିକ୍ ସମୟରେ କେନ୍ଦ୍ରକୁ ଆସୁନାହାଁନ୍ତି। ଏହାସହ ଶିଶୁମାନଙ୍କୁ ବହୁ ଡେରିରେ ଏବଂ ନିକୃଷ୍ଟମାନର ଖାଇବା ପ୍ରଦାନ କରିବାସହ ମାରପିଟ୍ କରୁଛନ୍ତି। ଯାହାଫଳରେ ଶିଶୁମାନେ ଅଙ୍ଗନବାଡିକେନ୍ଦ୍ରକୁ ଯିବାକୁ ଇଚ୍ଛାପ୍ରକାଶ କରୁନାହାଁନ୍ତି। ସରକାର ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା ପାଇଁ ପ୍ରତ୍ୟେକ ଗ୍ରାମରେ ଅଙ୍ଗନବାଡିକେନ୍ଦ୍ର ଖୋଲି ପୁଷ୍ଟିକର ଖାଇବାର ବ୍ୟବସ୍ଥା କରିଛନ୍ତି। ଏହାସହ ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି।

ହେଲେ ନିକ୍ତିମାଲ ଗ୍ରାମରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ସରକାରଙ୍କ ସମସ୍ତ ନିୟମକୁ ଉଲ୍ଲଙ୍ଘନକରି ମନମୁଖୀ ଶାସନ ଚଳାଇଛନ୍ତି। ଏହାକୁ ଅଭିଭାବକମାନେ ବିରୋଧ କଲେ ସୁଦ୍ଧା ସେ କର୍ଣ୍ଣପାତ କରୁନାହାଁନ୍ତି। ତେଣୁ ନିକ୍ତିମାଲର ଅଙ୍ଗନବାଡିକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଅପସାରଣ କରାଯାଉ ଗ୍ରାମବାସୀ ଦାବି କରିଛନ୍ତି। ଏହି ଦାବି ଶୀଘ୍ର ପୂରଣ ନହେଲେ ସୋମାନେ ଆନ୍ଦୋଳନର ପନ୍ଥା ଅବଳମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।