ମାଲକାନଗିରି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଗତ ୨ ତାରିଖରେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଗତକାଲି ରାତି ୧୦ଟାରୁ ନାଇଟ କର୍ଫ୍ୟୁ ଜାରି ରହିଛି। ତେବେ ଏଥିରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଓ ଜରୁରୀକାଳିନ କାର୍ଯ୍ୟ ଓ ସେବାକୁ ବାଦ୍ ଦିଆଯାଇଛି। ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା ବେଳେ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି। ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମଗୁଡ଼ିକରେ ଡାକବାଜି ଯନ୍ତ୍ର ମାଧ୍ୟମରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ପାଳନ ଉପରେ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ପାଳନକୁ ବାଧ୍ୟତାମୂଳକ କରାଯାଇଛି। ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତକୁ ଲାଗି ରହିଥିବା ମାଲକାନଗିରି ଜିଲ୍ଲାର ଚାଲାଣଗୁଡ଼ା, ମୋଟୁ, ଚିତ୍ରକୋଣ୍ଡା ଓ ପଡ଼ିଆଠାରେ ପୁଲିସ ପକ୍ଷରୁ ସମସ୍ତ ଯାନବାହାନକୁ ଯାଞ୍ଚ କରାଯାଉଛି। ନାଇଟ କର୍ଫ୍ୟୁ ପାଇଁ ଜୋରିମାନା ଆଦାୟ ସହ ମାଲକାନଗିରି- ସୁକୁମା ଜିଲ୍ଲା ସୀମାରେ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଉଛି ବୋଲି ମାଲକାନଗିରି ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ରାମ ପ୍ରସାଦ ନାଗ କହିଛନ୍ତି।