ଏନଆଇଏକୁ କେରଳ ଓ ପଶ୍ଚିମବଙ୍ଗରୁ ମିଳିଲା ବଡ଼ ସଫଳତା: ଅଲକାଏଦାର ୯ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଅଲକାଏଦାର ବଡ଼ ଧରଣର ଯୋଜନା ଭଣ୍ଡୁର ହୋଇଯାଇଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଆଜି ସକାଳେ କେରଳ ଓ ପଶ୍ଚିମବଙ୍ଗରୁ ୯ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କେରଳର ଏର୍ଣ୍ଣାକୁଲମରେ ଏନଆଇଏ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏନଆଇର କହିବା ମୁତାବକ, ଗିରଫ ହୋଇଥିବା ସମସ୍ତ ଆତଙ୍କବାଦୀ ଆତଙ୍କୀ କାର୍ଯ୍ୟକଳାପ ସହ ଜଡ଼ିତ ଥିଲେ। ଆଉ ଚଢ଼ଉ ସମୟରେ ବଡ଼ ଧରଣର ଡିଜିଟାଲ ଉପକରଣ, କାଗଜ ପତ୍ର, ଜିହାଦୀ ସାହିତ୍ୟ, ଧାରୁଆ ଅସ୍ତ୍ରଶସ୍ତ୍ର, ଘରୋଇ ଶାରୀରିକ କବଚ ଓ ବିସ୍ଫୋରକ ଡିଭାଇସ ଜବତ କରାଯାଇଛି।

ଏନଆଇଏର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି କି, ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ସୋସିଆଲ ମିଡିଆରେ ପାକିସ୍ତାନସ୍ଥିତ ଅଲକାଏଦା ଦ୍ୱାରା କଟ୍ଟରପନ୍ଥୀରେ ପରିଣତ କରାଯାଉଥିଲା। ଆଉ ରାଜଧାନୀ ଦିଲ୍ଲୀ ସମେତ ଅନେକ ସ୍ଥାନରେ ଆକ୍ରମଣ କରିବାକୁ ପ୍ରେରିତ କରାଯାଉଥିଲା। ସେଥିପାଇଁ ଉକ୍ତ ଗ୍ୟାଙ୍ଗର କିଛି ସଦସ୍ୟ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ କିଣିବା ପାଇଁ ଦିଲ୍ଲୀ ଯାତ୍ରା କରିବାର ଯୋଜନା ପ୍ରସ୍ତୁତ କରିଥିଲେ।

ସୂଚନାଯୋଗ୍ୟ, ଆଗାମୀ ଦିନରେ ଏହି ମାମାଲାରେ ଆହୁରି ଗିରଫ କରାଯିବ ବୋଲି ଏନଆଇ ପକ୍ଷରୁ କୁହାଯାଇଛି।