ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ତଥା ଏନଏଚଏଆଇ ପକ୍ଷରୁ ଟୋଲ ପ୍ଲାଜା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଦ୍ୱାରା ଟୋଲ ଗେଟରେ ଗାଡ଼ିଗୁଡ଼ିକୁ ଯେପରି ଆଉ ୧୦ ସେକେଣ୍ଡରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଜାତୀୟ ରାଜପଥରେ ଗାଡ଼ିଗୁଡ଼ିକର ସୁଗମ ପରିଚାଳନା ପାଇଁ ଏନଏଚଏଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଏନଏଚଏଆଇ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ଟୋଲ ଗେଟ ନିକଟରେ ଗାଡ଼ିର ଧାଡି ୧୦୦ ମିଟର ଭିତରେ ରହିବ। ଯଦି କୌଣସି ଗାଡ଼ି ୧୦୦ ମିଟରରୁ ଅଧିକ ଲମ୍ବା ଲାଇନରେ ଛଡ଼ା ହୁଏ କିମ୍ବା ତାକୁ ଲାଇନ ଛାଡ଼ିବାରେ ୧୦ ସେକେଣ୍ଡରୁ ଅଧିକ ସମୟ ଲାଗେ ତେବେ ତା’ର ଉକ୍ତ ଟୋଲରେ ଟିକସ ଛାଡ଼ କରାଯିବ।
ଏନେଇ ଟୋଲ କର୍ତ୍ତୃପକ୍ଷ ଗେଟରେ ୧୦୦ ମିଟର ଦୂରରେ ଏକ ହଳଦିଆ ରଙ୍ଗର ଲାଇନ କାଟିବେ ଏବଂ ଯେପରି ଉକ୍ତ ଲାଇନରୁ ଯେପରି ଧାଡ଼ି ନ ବଢ଼େ ସେଥିପ୍ରତି ସଜାଗ ରହିବେ। ସୂଚନା ଅନୁସାରେ ଟୋଲ ଗେଟରେ ହେଉଥିବା ଭିଡକୁ ଲକ୍ଷ କରି ଏନଏଚଏଆଇ ପକ୍ଷରୁ ଫାସ୍ ଟ୍ୟାଗ ସିଷ୍ଟମ ଲାଗୁ ହୋଇଛି। ଏନେଇ ଦେଶର ସମସ୍ତ ଟୋଲ ଗେଟକୁ ମଧ୍ୟ ଅପଗ୍ରେଡ କରାଯାଇସାରିଛି।